ମାଲକାନଗିରି,୨୧/୦୫(ସତ୍ୟନାରାୟଣ ଦାଶ): ଆମ ଦେଶ ଓ ରାଜ୍ୟର ଅନେକ ନିରାଶ୍ରୟ ଅଛନ୍ତି, ଯେଉଁମାନେ ଆଇନ ସମ୍ବନ୍ଧରେ ଅନଭିଜ୍ଞ । ସେମାନଙ୍କୁ ସଚେତନ କରିବା ସହ ସେବା ଯୋଗାଇଦେବା ଆଇନଜୀବୀଙ୍କ କର୍ତ୍ତବ୍ୟ। ମଙ୍ଗଳବାର ମାଲକାନଗିରି ଜିଲା ଜଜ୍ କୋର୍ଟରେ ଅନୁଷ୍ଠିତ ସେମିନାରରେ ଉଚ୍ଚ ନ୍ୟାୟାଳୟ ବିଚାରପତି ଶଶୀକାନ୍ତ ମିଶ୍ର ଆଇନଜୀବୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭରେ ଜିଲା ବାର୍ ଆସୋସିଏଶନର ଶତାଧିକ ଆଇନଜୀବୀ ମାଲାକନଗିରି ସଦର ମହକୁମା ପ୍ରବେଶ ଦ୍ୱାର ଭୈରବ ମନ୍ଦିର ଠାରେ ବିଚାରପତି ଶଶୀକାନ୍ତ ମିଶ୍ର ଓ ଶିବ ଶଙ୍କର ମିଶ୍ରଙ୍କୁ ସ୍ୱାଗତ କରିବା ପାଇଁ ଡିଡାୟୀ, କୋୟା ନୃତ୍ୟ ସହ ପୁଷ୍ପଗୁଚ୍ଛ ଦେଇ ଜିଲା ଦୌରା ଜଜ୍ କୋର୍ଟ ସମ୍ମିଳନୀ କକ୍ଷକୁ ନେଇଥିଲେ। ସେମିନାରରେ ମାଲକାନଗିରି ବାର୍ ଆସୋସିଏସନ ସଭାପତି ପ୍ରୀତପାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଭୟ ବିଚାରପତିଙ୍କ ସହ ଜିଲା ଜଜ୍ ପ୍ରସନ୍ନ କୁମାର ପଣ୍ଡା, ରାଜ୍ୟ ବାର୍ ଆସୋସିଏଶନ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ୱିବେଦୀ, ରାଜ୍ୟ ବାର୍ କାଉନସିଲ ସଭ୍ୟ ବିଭୁପ୍ରସାଦ ତ୍ରିପାଠୀ ଓ ପି.ରମେଶ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ୧୦୦ରୁ ଊର୍ଦ୍ଧ୍ୱ ଆଇନଜୀବୀଙ୍କୁ ସେମିନାର ଉଦ୍ଦେଶ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ପରାମର୍ଶ ଦେଇଥିଲେ। ବାର୍ ଆସୋସିଏଶନ ସଦସ୍ୟ ରବୀନ୍ଦ୍ର ମାଢି, ଅଶୋକ ପଟ୍ଟନାୟକ, ଗୋବିନ୍ଦ ପାତ୍ର ଓ ବିଜୟ ମହାନ୍ତି ଓ ବରିଷ୍ଠ ଆଇନଜୀବୀ ମତବ୍ୟକ୍ତ କରିଥିଲେ । ବିଚାରପତି ଶଶୀକାନ୍ତ ମିଶ୍ର ଓ ଶିବ ଶଙ୍କର ମିଶ୍ର ସାଧାରଣ, ଅନଭିଜ୍ଞ, ଗରିବ ଶ୍ରେଣୀର ଜନସାଧାରଣ କିପରି ବିନା ମୂଲ୍ୟରେ ନ୍ୟାୟାଳୟରେ ସେମାନଙ୍କ ସମସ୍ୟାର ସମାଧାନ କରିପାରିବେ ସେ ସମ୍ବନ୍ଧରେ ଯେଉଁ ଯେଉଁ ପନ୍ଥା ଅବଲମ୍ବନ କରାଯାଇଛି ସେ ବିଷୟରେ ସୂଚନା ଦେଇଥିଲେ। ସ୍ୱର୍ଗତ ଗୋପବନ୍ଧୁ ଦାସ ନିଜ ଜୀବନକୁ ଉତ୍ସର୍ଗ କରି ବିଭିନ୍ନ ବିପଦ ସମୟରେ ଗରିବ ଅସହାୟଙ୍କୁ କିପରି ସାହାଯ୍ୟ କରୁଥିଲେ ସେ ବିଷୟରେ କହିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ଆନୱାର ସାହା, ବିଜୟ ମହାନ୍ତି, ଗୋବିନ୍ଦ ପାତ୍ର, ଲମ୍ବୋଦର ତୁରୁକ, ଦିଲୀପ ପରିଛା ଓ ଅଶୋକ ନାୟକ ପ୍ରମୂଖ ପରିଚାଳନା କରିଥିଲେ। ଶେଷରେ ବାର୍ ଆସୋସିଏସନ ସମ୍ପାଦକ ସାଗର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।










































