ରୁଷ୍-ୟୁକ୍ରେନ ଯୁଦ୍ଧକୁ ପୂରିଛି ୩ ବର୍ଷ। ଏହାରି ମଧ୍ୟରେ ଯୁଦ୍ଧର ବିରତି ପାଇଁ ପ୍ରଥମ ହାତ ବଢାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ରୁଷ୍ ସହ ସମସ୍ତ ଯୁଦ୍ଧ ବନ୍ଦୀଙ୍କୁ ଅଦଳବଦଳ କରିବାକୁ ପ୍ରସ୍ତାବ ଦେଇଛନ୍ତି। କିଭରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ଜେଲେନସ୍କି କହିଛନ୍ତି, ରୁଷ୍ ୟୁକ୍ରେନବାସୀଙ୍କୁ ମୁକ୍ତ କରିବା ଦରକାର। ୟୁକ୍ରେନ୍ ସମସ୍ତଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି। ଯଦି ତାଙ୍କ ଦେଶକୁ ନାଟୋ ସଦସ୍ୟତା ଦିଆଯାଏ ତେବେ ସେ ୟୁକ୍ରେନର ରାଷ୍ଟ୍ରପତି ପଦରୁ ତୁରନ୍ତ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋ ପଦ ଛାଡିବାରେ ଯଦି ୟୁକ୍ରେନ ପାଇଁ ଶାନ୍ତି ଆସିବ, ତାହାଲେ ମୁଁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷର ଆକ୍ରମଣ ବିରୋଧରେ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ପଡିବ। ସେହିପରି ୟୁକ୍ରେନ ସଂସଦର ମାନବାଧିକାର କମିଶନର ଡିମିଟ୍ରୋ ଲୁବିନେଟ୍ସ କହିଛନ୍ତି ଯେ ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଉଭୟ ଦେଶ ମଧ୍ୟରେ କଏଦୀଙ୍କ ଅଦଳବଦଳ ମଧ୍ୟ ହୋଇଥିଲା। ଚନା ମୁତାବକ, ୨୦୨୪ ସେପ୍ଟେମ୍ବରରେ ରୁଷିଆ ଏବଂ ୟୁକ୍ରେନ ଉଭୟ ଦେଶରୁ ୧୦୩ ଜଣ କଏଦୀଙ୍କୁ ମୁକ୍ତ କରିଥିଲେ। ଅକ୍ଟୋବରରେ ୯୫ ଜଣ ଲେଖାଏଁ ଯୁଦ୍ଧ ବନ୍ଦୀଙ୍କୁ ଅଦଳବଦଳ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଏକଛତ୍ରବାଦୀ ବୋଲି ବର୍ଣ୍ଣନା କରିବା ସହ ୟୁକ୍ରେନରେ ପୁଣି ଥରେ ନିର୍ବାଚନ ହେବା ଦରକାର ବୋଲି କହିଥିଲେ। ସାଉଦି ଆରବରେ ଆମେରିକା-ମସ୍କୋ ଆଲୋଚନା ପରେ ଟ୍ରମ୍ପ ଋଷ ସପକ୍ଷରେ ପ୍ରଚାର କରୁଥିବା କହିଛନ୍ତି।