ବ୍ରହ୍ମପୁର ୧୭/୧୦(ସୁଦେଶ ପାତ୍ର) : ସ୍ଥାନୀୟ ଓଡ଼ିଆ ଭାଷା ଆନ୍ଦୋଳନର ଦୀର୍ଘ ବର୍ଷ ପରେ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି।ଉକ୍ତ ସଙ୍ଗଠନର ପ୍ରତିଷ୍ଠାତା ସଭାପତି ଭାଷା ତପସ୍ୱୀ ତ୍ରିନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ବଡଖେମୁଣ୍ଡି ଭଣ୍ଡାରୀ ସାହି କାର୍ଯ୍ୟାଳୟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାରମ୍ଭରେ ସମ୍ପାଦକ ହରେକୃଷ୍ଣ ପଣ୍ଡା ଦୀର୍ଘ ବର୍ଷଧରି ପ୍ରତିଷ୍ଠାତା ଶ୍ରୀ ମହାରଣାଙ୍କ ଉଦ୍ୟମରେ ଓଡ଼ିଆ ଭାଷାର ବିକାଶ ପାଇଁ ପ୍ରୟାସ ଦ୍ୱାରା ସହରର ବ୍ୟବସାୟୀ ମାନେ ଓଡ଼ିଆ ନାମ ଫଳକ ଲେଖି ପୁରସ୍କୃତ ହୋଇଥିବା କହିଥିଲେ। ସେଭଳି ଶୁଭ କାର୍ଯ୍ୟ ନିମନ୍ତ୍ରଣ ଓଡ଼ିଆରେ ଛପାଇ ଅନେକ ବ୍ୟକ୍ତି ସମ୍ବର୍ଦ୍ଧିତ ହେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଶ୍ରୀ ମହାରଣାଙ୍କ ବହୁବାର ଦାବୀ ଫଳରେ ଆଜି ଓଡିଶା ସରକାର ଭାଷା ଆଇନ କଡାକଡି ଲାଗୁ ପାଇଁ ଉଦ୍ୟମ କରିବା ପଦକ୍ଷେପକୁ ବୈଠକରେ ସମ୍ପାଦକ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମହାରଣା ସରକାରଙ୍କୁ ନିବେଦନ କରିଛନ୍ତିଯେ, ନିର୍ଦ୍ଦେଶ ଓ ବିଜ୍ଞାପନରେ ଭାଷା ଆଇନକୁ ସୀମିତ ନରଖି ନଥି କାମ ମଧ୍ୟ ଓଡ଼ିଆ ମାଧ୍ୟମରେ କରାଯାଉ। ଭାଷା ତପସ୍ୱୀ ତ୍ରିନାଥ ମହାରଣାଙ୍କ ପୂରଣ ହୋଇ ପାରିନଥିବା ସ୍ୱପ୍ନକୁ ସାକାର କରିବାକୁ ସଦସ୍ୟ ମାନେ ଶପଥ ନେଇଥିଲେ।
ଆସନ୍ତା ଦୁଇବର୍ଷ ସକାଶେ ସଭାପତି ରୂପେ ସିମାଞ୍ଚଳ ପତି, ସମ୍ପାଦକ ରୂପେ ଶିକ୍ଷାବିତ୍ ହରେକୃଷ୍ଣ ପଣ୍ଡା, ସଂଯୋଜକ ଭିକାରୀ ଚରଣ ଗୌଡ଼ ଓ କାର୍ଯ୍ୟକ।ରି ସଦସ୍ୟ ଭାବେ ସର୍ବଶ୍ରୀ ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଶତପଥି, ଦୀପ୍ତି ଶଙ୍କର ପଟ୍ଟନାୟକ ଓ ଅଶୋକ ଦଳାଇ ସର୍ବସମ୍ମତି କ୍ରମେ ମନୋନୀତ ହେଲେ। ବିଭିନ୍ନ କାର୍ଯ୍ୟକ୍ରମ କିଭଳି ସୁଚାରୁ ରୂପେ ପରିଚାଳିତ ହେବ, ସେହି ବିଷୟରେ ଆଲୋଚନା କରାଯାଇଥିଲା। ପରିଶେଷରେ ଭିକାରୀ ଚାରଣ ଗୌଡ଼ ଧନ୍ୟବାଦ ଜଣାଇଥିଲେ।










































