ଜୟପୁର : ଦଳଗତ ପ୍ରଦର୍ଶନ ବଳରେ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିଥିବା ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ଅଭିଯାନ ଶେଷ କରିଛି। ୧୪ରୁ ୭ ବିଜୟ ସହ ୧୫ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିବାର ଗୌରବ ବି ପାଇଛି। ଶନିବାର ପଞ୍ଜାବ କିଙ୍ଗ୍ସ ୨୦୬ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। କିନ୍ତୁ ଏକାଧିକ ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ୩ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ସମୀର ରିଜ୍ଭୀ (୨୫ ବଲ୍ରୁ ୫୮ ରନ୍, ୩ ଚୌକା, ୫ ଛକା) ବିଜୟକୁ ସହଜ କରି ଦେଇଥିଲେ। ଅନ୍ୟପକ୍ଷରେ ପଞ୍ଜାବ ଶୀର୍ଷ ୨ ସ୍ଥାନରେ ରହିବାକୁ ଅବଶ୍ୟ ଆଉ ଏକ ସୁଯୋଗ ପାଇବ। ମୁମ୍ବାଇ ଇଣ୍ଡିଆନ୍ସ ସହ ସୋମବାର ଖେଳିବ ପଞ୍ଜାବ କିଙ୍ଗ୍ସ।
ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୬୬ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୭ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ କରୁଣ ନାୟାର ୪୪ ରନ କରିଥିବାବେଳେ ସମୀର ରିଜଭି ୫୮ ରନ ଓ କେଏଲ ରାହୁଲ ୩୫ ରନ କରିଥିଲେ । ଏହି ମ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ଆରମ୍ଭରୁ ଲଢୁଆ ବ୍ୟାଟିଂ କରିଥିଲେ ବି ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ପ୍ରିୟାଂଶ ଆର୍ଯ୍ୟା ୬ ରନ କରି ଆଉଟ ହୋଇଥିବାବେଳେ ପ୍ରଭସିମରନ ସିଂ ୨୮ ରନ କରିଥିଲେ । ସେହିପରି ଶ୍ରେୟସ ଆୟର ୫୩ ରନ କରିଥିବାବେଳେ ଜୋସ ଇଙ୍ଗଲିସ ୩୨ ରନ କରିଥିଲେ । ନିହାଲ ଓ୍ବାଧେରା ୧୬ ରନ ଓ ଶଶାଙ୍କ ସିଂ ୧୧ ରନ କରିଥିଲେ । ତେବେ ମାର୍କସ ଷ୍ଟୋଇନିସ ମାତ୍ର ୧୬ ବଲରେ ୪ ଛକା, ୩ ଚୌକା ସହ ୪୪ ରନ କରିଥିଲେ । ତାଙ୍କର ଏହି ଲଢୁଆ ଇନିଂସ ବଦଳରେ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୬ ରନ କରିଥିଲା ।
ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରେହମାନ ୩ଟି ଓ୍ବିକେଟ ନେଇଥିବାବେଳେ ବିପ୍ରାଜ ନିଗମ ଓ କୂଳଦୀପ ଯାଦବ ୨ଟି ଲେଖାଏଁ ନେଇଥିଲେ ।
ସଂକ୍ଷିପ୍ତ ସ୍କୋର୍: ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୨୦୬/୮ (ଶ୍ରେୟସ ଆୟର-୫୩, ମାର୍କସ ଷ୍ଟୋଇନିସ୍-୪୪*, ଜୋସ୍ ଇଙ୍ଗ୍ଲିସ୍-୩୨, ପ୍ରଭସିମରନ୍ ସିଂହ-୨୮, ମୁସ୍ତାଫିଜୁର ରହମାନ-୩/୩୩, ବିପ୍ରଜ ନିଗମ-୨/୨୮, କୁଲଦୀପ ୟାଦବ-୨/୩୯, ମୁକେଶ କୁମାର-୧/୪୯)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୩ ଓଭରରେ ୨୦୮/୪ (ସମୀର ରିଜ୍ଭୀ-୫୮*, କରୁଣ ନାୟାର-୪୪, କେଏଲ୍ ରାହୁଲ-୩୫, ଫାପ୍ ଡୁ ପ୍ଲେସିସ୍-୨୩, ତ୍ରିଷ୍ଟନ୍ ଷ୍ଟବ୍ସ-୧୮*, ହରପ୍ରୀତ୍ ବ୍ରାର୍-୨/୪୧, ପ୍ରବୀଣ ଦୁବେ-୧/୨୦, ମାର୍କୋ ୟାନ୍ସେନ୍-୧/୪୧)।