ପାରାଦୀପ – ବନ୍ଦର ନଗରୀ ପାରାଦୀପରେ ଭାରତର ବିତରଣ ବ୍ୟବସାୟ ସମ୍ପ୍ରଦାୟର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବିତରକ ସଙ୍ଘ ଦ୍ୱାରା ଏମ୍ପାୟାର୍ସ ହୋଟେଲ ପରିସରରେ ରବିବାର ଦିନ ଆୟୋଜିତ ସଭାରେ ଅଖିଳ ଭାରତ ଉପଭୋକ୍ତା ପ୍ରଡକ୍ଟ ବିତରକ ମହାସଂଘ ର ଜାତୀୟ ଓ ରାଜ୍ୟ ସ୍ତରୀୟ ନେତାମାନେ ଅଂଶଗ୍ରହଣ କରିଥିଲେ। ସଭାର ମୁଖ୍ୟ ଆକର୍ଷଣ ଥିଲା ଆତ୍ମବିଶ୍ୱାସ ଭରା ଆଲୋଚନା, ଗଭୀର ବ୍ୟାଖ୍ୟାନ ଓ ଏକତାର ସନ୍ଦେଶ l ମହାସଂଘର ଜାତୀୟ ଅଧ୍ୟକ୍ଷ ଧର୍ଯ୍ୟଶୀଲ ପାଟିଲ (ମହାରାଷ୍ଟ୍ର) ଓ ମୁଖ୍ୟ ପୃଷ୍ଠପୋଷକ ଡ.ପି.ଏମ.ଗଣେଶରାମ (ତାମିଲନାଡୁ) ସଭାରେ ଉପସ୍ଥିତ ଥିଲେ। ଓଡିଶାକୁ ପ୍ରତିନିଧିତ୍ୱ କରୁଥିଲେ ରାଜ୍ୟ ଅଧ୍ୟକ୍ଷ ଗିରିଶ ରଥ, ସାଧାରଣ ସମ୍ପାଦକ ମନୋଜ ଧାନୁକା ଓ ଉପାଧ୍ୟକ୍ଷ ଶିବରତ୍ନ ମସ୍କରା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଓ ଆଖପାଖ ଜିଲ୍ଲାର ବିତରକ, ଷ୍ଟକିଷ୍ଟ ଓ ବ୍ୟବସାୟୀ ଉତ୍ସାହିତ ଭାବରେ ଅଂଶଗ୍ରହଣ କରିଥିଲେ।
ଶ୍ରୀ ଧୈର୍ଯ୍ୟଶୀଳ ପାଟିଲ ତାଙ୍କ ଉଦବୋଧନ ରେ ‘ବ୍ଲିଙ୍କିଟ, ଜେପ୍ଟୋ, ଇନଷ୍ଟାମାର୍ଟ’ ପରି କ୍ୱିକ୍ କମର୍ସ ପ୍ଲାଟଫର୍ମର ବିସ୍ତାର ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ। ସେ କହିଥିଲେ, “ଏହି କମ୍ପାନୀମାନେ ଅତ୍ୟଧିକ ରିହାତି ଓ ଅନୈତିକ ମୂଲ୍ୟ ନୀତି ଦ୍ୱାରା ବଜାର ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରୁଛନ୍ତି ଓ ଏହାଦ୍ୱାରା ପାରମ୍ପରିକ ଖୁଦ୍ର ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି।” ସେ ଏବାବଦରେ ସରକାରଙ୍କ ନିୟନ୍ତ୍ରଣ ଓ ପ୍ରବନ୍ଧନ ଆବଶ୍ୟକତା ଉପରେ ଜୋର ଦେଇ ବିତରକମାନଙ୍କୁ ସଜାଗ, ଏକତାବଦ୍ଧ ଓ ସକ୍ରିୟ ହେବା ପାଇଁ ଆହ୍ବାନ ଦେଇଥିଲେ।
ଡ଼. ଗଣେଷରାମ ତାଙ୍କ ଉଦବୋଧନ ରେ ବିତରକମାନଙ୍କ ପାଇଁ ଶୃଙ୍ଖଳା, ନୀତିମୂଳକ ବ୍ୟବହାର ଓ ସଂହିତା ଆଚରଣ ନୀତି ଅନୁଷ୍ଠାନର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ, “ଆମେ ଯେତେବେଳେ ନିଜେ ନିଜେ ଦାୟିତ୍ୱଶୀଳ ଏବଂ ଏକାଠି ହେବୁ ସେତେବେଳେ ଆମେ ଏସବୁ ସମସ୍ୟାରୁ ମୁକୁଳିପାରିବୁ l
ରାଜ୍ୟ ଅଧ୍ୟକ୍ଷ ଗିରିଶ ରଥ କହିଥିଲେ ଯେ ଓଡିଶାରେ ‘ହମ୍ ହୈ, ହମ୍ ରହେଙ୍ଗେ’ ଅଭିଯାନ ପରେ ବିତରଣ ଜଗତ ଏକ ନୂଆ ଉତ୍ସାହ ଓ ଏକତା ଦେଖିଛି। “ଏହି ଅଭିଯାନ ରାଜ୍ୟରେ ବିତରକ ସଂଘକୁ ଅଧିକ ଶକ୍ତିଶାଳୀ ଓ ସୁସଂଗଠିତ କରିଛି l
ସମ୍ପାଦକ ମନୋଜ ଧାନୁକା ସମସ୍ତ ବିତରକମାନେ ଏକତାରେ ରହି ଗଠନାତ୍ମକ ସଂଖଳାକୁ ଜିଲ୍ଲା, ତାଲୁକା ଓ ନଗର ସ୍ତରରେ ମଜବୁତ କରିବାକୁ ଆହ୍ବାନ କରିଥିଲେ। “ଆମର ଶକ୍ତି ହେଉଛି ଏକତା, ଏକାକି ଜଣେ ବିତରକ ଏହି ସଂକଟକୁ ମୁକାବିଲା କରିପାରିବେନି,” ବୋଲି କହିଥିଲେ।
ଉପାଧ୍ୟକ୍ଷ ଶିବରତ୍ନ ମସ୍କରା ଯୁବ ବ୍ୟବସାୟୀମାନଙ୍କ ଆଗ୍ରହକୁ ସ୍ବାଗତ କରି, ସେମାନେ ମହାସଂଘ ସହ ସକ୍ରିୟ ଭାବରେ ଯୋଡିହେବା ଓ ଓଡିଶାର ବିତରଣ ବ୍ୟବସ୍ଥାକୁ ଭବିଷ୍ୟତ ଦିଗରେ ଗଠନ କରିବା ପାଇଁ ଉତ୍ସାହିତ କରିଥିଲେ।
ପାରାଦୀପ ବିତରକ ସଂଘଙ୍କୁ ଏହି ସଭାର ସୁନିୟୋଜିତ ଆୟୋଜନ ପାଇଁ ସମସ୍ତଙ୍କ ତରଫରୁ ଧନ୍ୟବାଦ ଦିଆଯାଇଥିଲା। ପାରାଦୀପ ସଂଘର ସଭାପତି ତୁଷାରକାନ୍ତ ପରିଡା, କାର୍ଯ୍ୟକାରୀ ସଭାପତି ପ୍ରକାଶ କୁମାର ମହାନ୍ତି, ଓଡିଶା ବିତରକ ସଂଘର ଉପସଭାପତି ତଥା ପାରାଦୀପ ବିତରକ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ, ସଂଯୋଜକ ବିଶ୍ୱଜିତ ଦାସ, ଜଗତସିଂହପୁର ବିତରକ ସଂଘର ସଭାପତି ପାରିଜାତ ମହାପାତ୍ର, ସମ୍ପାଦକ ବସନ୍ତ ସାହୁ, ମା ଶାରଳା ବିତରକ ସଂଘର ସଭାପତି ସୁଧାଂଶୁ ପାଣି,ସମ୍ପାଦକ ଶତ୍ରୁଘ୍ନ ମଲ୍ଲ ଓ ସ୍ଥାନୀୟ ପଦାଧିକାରୀମାନେ ରାଜ୍ୟ ଓ ଜାତୀୟ ନେତୃତ୍ୱ ସହ ମିଶି ବିତରକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ l ଉପସ୍ଥିତ ସମସ୍ତ ବିତରକ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଅନୈତିକ ବଜାର, ନ୍ୟାୟସଙ୍ଗ, ପ୍ରତିସ୍ପର୍ଧାତ୍ମକ ଓ ପାରଦର୍ଶୀ ଏଫଏମସିଜି ପରିବେଶ ଗଠନ ପାଇଁ ପ୍ରତିବଦ୍ଧ ରହିବା ନେଇ ପ୍ରତିଜ୍ଞା କରିଥିଲେ l










































