ପାରାଦୀପ – ଜୟଦେବ ସଦନ ସମ୍ମୁଖ ପଡିଆରେ ଶୁକ୍ରବାର ସନ୍ଧ୍ୟାରେ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱରେ ଏକ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମାବେଶରେ ପାରାଦୀପ ବନ୍ଦରରେ କାର୍ଯ୍ୟରତ କର୍ମଚାରୀ, ଡିଏଲଆର ଠିକା କର୍ମଚାରୀ ଙ୍କ ସମେତ ପାରାଦୀପ ରେ ଗଢି ଉଠିଥିବା ପିପିଏଲ, ଇଫକୋ, ଆଇଓସିଏଲ, ଏଏମଏନଏସ,ପିଆଇସିଟି ଆଦି ଛୋଟବଡ଼ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ଯାହା ପାରାଦୀପ ରେ ଥିବା ବିଭିନ୍ନ ଶ୍ରମିକ ସଂଘ ନେତା ମାନଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି l ତେବେ ସମାବେଶ ର ଅବ୍ୟବହିତ ପୂର୍ବରୁ ଦୋଛକି ନିକଟରୁ ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରାରେ ହଜାର ହଜାର ଶ୍ରମିକ ନେତା ମାନଙ୍କୁ ସଭାସ୍ଥଳୀ ନିକଟକୁ ପାଛୋଟି ନେଇଥିଲେ l ପାରାଦୀପ ପୋର୍ଟ ମଜଦୁର ସଙ୍ଘ ଓ ପୂର୍ବ ଉପକୂଳ ଶ୍ରମିକ ସଙ୍ଘ ମିଳିତ ଆନୁକୂଲ୍ୟରେ ଜୟଦେବ ସଦନ ସମ୍ମୁଖ ପଡିଆରେ ଆୟୋଜିତ ଏହି ସମାବେଶକୁ ସମ୍ବୋଧିତ କରି ଉଭୟ ସଂଘର ସଭାପତି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ କହିଥିଲେ ଯେ ପାରାଦୀପ ମୋର ଜନ୍ମ ଓ କର୍ମ ଭୂମି l ହେତୁ ପାଇବା ଦିନରୁ ମୁଁ ପାରାଦୀପ ରେ ବିଭିନ୍ନ ଶ୍ରମିକ ସଂଘ ନେତା ମାନଙ୍କ କାର୍ଯ୍ୟ ଶୈଳୀ ଓ ଶ୍ରମିକ ଙ୍କ ସ୍ୱାର୍ଥ ପାଇଁ ଲଢେଇ କୁ ଅତି ନିକଟରୁ ଦେଖିଆସିଛି l ସେଥିରୁ ହାସଲ କରିଥିବା ଅଭିଜ୍ଞତା ହିଁ ମୋତେ ଶ୍ରମିକ ମାନଙ୍କ ପାଇଁ ଲଢେଇ କରିବାକୁ ପ୍ରେରଣା ଯୋଗାଇଛି l ଦୀର୍ଘ ୧o ବର୍ଷ ରୁ ଉର୍ଦ୍ଧ ସମୟ ଧରି ଶ୍ରମିକଙ୍କ ପାଇଁ ସାଲିସବିହୀନ ସଂଘର୍ଷ ଜାରି ରଖିଛି l ବିଭିନ୍ନ ଶିଳ୍ପ ସଂସ୍ଥାରେ ନିର୍ଯ୍ୟାତିତ ଓ ଶୋଷିତ ହୋଇଆସୁଥିବା ଶ୍ରମିକ ମାନଙ୍କ ପାଇଁ ଲଢେଇ କରି ସେମାନଙ୍କୁ ନ୍ୟାୟ ଦେବାରେ ସଫଳ ହୋଇପାରିଛି, ଯାହା ମୋର ଆତ୍ମବିଶ୍ୱାସ ଯେ ବୃଦ୍ଧି କରିଛି ତାହା ନୁହେଁ ବରଂ ପାରାଦୀପର ବିଭିନ୍ନ ଶ୍ରମିକ ସଂଗଠନ ଛାଡି ଆମ ସଂଘରେ ସାମିଲ ହେବା ପ୍ରକ୍ରିୟା ଜାରି ରହିଛି l ତେବେ ଶ୍ରମିକ ଭାଇମାନେ ଏକଜୁଟ ହୋଇ ରହିବା ପାଇଁ ସଂକଳ୍ପ ନେବାର ଆବଶ୍ୟକତା ରହିଛି l ଏକତା ବିନା ଶ୍ରମିକ ମାନେ ନିଜର ହକ ହାସଲ କରିବା ସମ୍ଭବ ନୁହେଁ l ବଳିଷ୍ଟ ନେତୃତ୍ୱ ଓ ଶ୍ରମିକ ମାନଙ୍କ ଏକତା ଯେକୌଣସି ଅସମ୍ଭବ କୁ ସମ୍ଭବ କରିପାରେ l ତେଣୁ କାହାରି କାନକୁହା କଥା କିମ୍ବା ପ୍ରଲୋଭନ ର ବସବର୍ତ୍ତୀ ନହୋଇ ଶ୍ରମିକ ଭାଇମାନେ ଏକାଠି ରହିବା ପାଇଁ ଶ୍ରମିକ ନେତା ଶ୍ରୀ ତ୍ରିପାଠୀ ଆହ୍ୱାନ ଦେଇଥିଲେ l
ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ବେହେରା,ସାଧାରଣ ସମ୍ପାଦକ ପରେଶ ମୁର୍ମୁ, ଉପସଭାପତି ସୁବ୍ରତ ପ୍ରଧାନ ଓ ରତ୍ନାକର ଜେନା, ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂହ ପ୍ରମୁଖ ଶ୍ରମିକ ସ୍ୱାର୍ଥ ରକ୍ଷା ଦିଗରେ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ l ତେବେ ପୂର୍ବରୁ ଦୀର୍ଘ ବର୍ଷ ହେବ ଶ୍ରମିକ ମାନଙ୍କୁ କିଛି ଛଦ୍ମବେଶି ଶ୍ରମିକ ନେତା ଓ କମ୍ପାନୀ କତ୍ତୃପକ୍ଷ ଭାଗ ଭାଗ କରି ସେମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଆସୁଥିବା ବେଳେ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱରେ ଶ୍ରମିକ ମାନେ ଏକଜୁଟ ହୋଇ ନିଜ ନ୍ୟାର୍ଯ୍ୟ ହକ ପାଇଁ ସଂଗ୍ରାମ ଆରମ୍ଭ କରି ପ୍ରାରମ୍ଭରେ ସଫଳତା ପାଇ ଚାଲିଛନ୍ତି l ଏହି ଘଟଣାକୁ ନେଇ ଏବେ ଶୋଷଣକାରୀ ନେତା ଓ କମ୍ପାନୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି ବୋଲି ଚର୍ଚ୍ଚା ଜୋର ଧରିଲାଣି l










































