ହରଭଙ୍ଗା (ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି। ପୂର୍ବରୁ ମୃତ ହିତାଧିକାରୀଙ୍କ ନାଁରେ ରାସନ ହଡ଼ପ ଘଟଣା ପ୍ରତିଷ୍ଠିତ ଦୈନିକ ଖବରକାଗଜ “ହିମ୍ମତ”ରେ ପ୍ରକାଶିତ ହେବା ପରେ ହରଭଙ୍ଗା ପଞ୍ଚାୟତ ଚର୍ଚ୍ଚାରେ ରହିବା ସହିତ ଅଞ୍ଚଳର ରାଜନୈତିକ ପାଣିପାଗ ମଧ୍ୟ ବେଶ ଉଷ୍ମ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ ସୁରୁଣ୍ଡି ଗ୍ରାମର ସଙ୍ଗୀତା ଦେହୁରୀ, ସ୍ୱା: ଅମିତ ମହାକୁଡ଼ ୨୦୨୪- ୨୫ ଆର୍ôଥକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ । ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟାଦେଶ ପାଇବା ପରେ ପ୍ରଥମ କିସ୍ତି ୪୦,୦୦୦ ଟଙ୍କା ସଙ୍ଗୀତାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିଲା। ଦୁର୍ଭାଗ୍ୟ ତଥା ବିଡମ୍ବନାର ବିଷୟ ଗୃହ ନିର୍ମାଣ କାର୍ଯ୍ୟ ଏଯାବତ ଆରମ୍ଭ କରାଯାଇ ନଥିଲେ ମଧ୍ୟ ଗତ ତା୨୪/୦୫/୨୦୨୫ରିଖରେ ଗୃହ ନିର୍ମାଣର ଦ୍ୱିତୀୟ କିସ୍ତି ୬୫,୦୦୦ ଟଙ୍କା ସଙ୍ଗୀତାଙ୍କ ବ୍ୟାଙ୍କ ଖାତାରେ କେଉଁ ଭଳି ଭାବରେ ଜମା ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଏଭଳି ଘଟଣା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ତଥା ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ପ୍ରଶାସନିକ କ୍ଷମତାର ଦୁରୁପଯୋଗ କରି ପଞ୍ଚାୟତର ଅସାଧୁ ଅଫିସର ଏବଂ ରାଜନୈତିକ କ୍ଷମତାର ଦୁରୁପଯୋଗ କରି ଭ୍ରଷ୍ଟାଚାରୀ କୁଜି ନେତାମାନେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛ। ବିଧାୟକଙ୍କ ଛତ୍ର ଛାୟା ତଳେ ସୁରକ୍ଷିତ ସୁରୁଣ୍ଡି ଗାଁର ଜଣେ ଆତ୍ମଘୋଷିତ ବିଜେପି କୁଜି ନେତା ଏସବୁ ଘଟଣାର ସୂତ୍ରଧର ବୋଲି ଶୁଣିବାକୁ ମିଳୁଛ। ବିଜେପି ଶାସନରେ ଦୁର୍ନୀତି ଘରେଘରେ ପହଁଞ୍ଚିଛି ବୋଲି ପୂର୍ବରୁ ବିଜେଡ଼ି ଯେଉଁ ଅଭିଯୋଗ ଆଣି ଥିଲା ତାହା ସତରେ ପରିଣତ ହୋଇଛି । ଏନେଇ ହରଭଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧୁସୂଦନ ମଲ୍ଲିକଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଫୋନ ଉଠାଇ ନଥିଲେ ।










































