ନୂଆଦିଲ୍ଲୀ : ବିଶ୍ବର ୨୦ଟି ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୧୩ଟି ସହର ରହିଛି। ସେହିପରି ରାଜଧାନୀ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଥିଲା ବେଳେ ଏହି ତାଲିକାରେ ସର୍ବନିମ୍ନରେ ରହିଛି। କେବଳ ସହର କିମ୍ବା ରାଜଧାନୀ ସହର ନୁହେଁ, ଭାରତ ବିଶ୍ବର ପଞ୍ଚମ ପ୍ରଦୂଷିତ ରାଷ୍ଟ୍ର ଭାବେ ଏହି ତାଲିକାରେ ସ୍ଥାନିତ ହୋଇଛି। ପ୍ରଦୂଷଣ ଦୃଷ୍ଟିରୁ ସାରା ବିଶ୍ବରେ ଭାରତର ସ୍ଥାନ ୨୦୨୩ରେ ୪ ରହିଥିଲା ବେଳେ ୨୦୨୪ରେ ଏହି ସ୍ଥିତିରେ ଆହୁରି ଅବନତି ଘଟିବା ସହିତ ଭାରତ ପଞ୍ଚମ ସ୍ଥାନକୁ ଖସି ଆସିଛି ବୋଲି ସ୍ବିଜରଲାଣ୍ଡର ଏୟାର କ୍ବାଲିଟି ଟେକନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ଦ୍ବାରା ଜାରି କରାଯାଇଥିବା ‘ଦି ୱାର୍ଲଡ ଏୟାର କ୍ବାଲିଟି ରିପୋର୍ଟ-୨୦୨୪’ରେ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତର ହାରାହାରି ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ହେଁ ଦେଶର ୧୩ ସହର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି। ୨୦୨୩ ତୁଳନାରେ ୨୦୨୪ରେ ଭାରତରେ ପିଏମ ୨.୫ ସାନ୍ଧ୍ରତା ହ୍ରାସ ପାଇଛି। ୨୦୨୩ରେ ଏହି ସ୍ତର ପ୍ରତି ଘନ ମିଟର ପ୍ରତି ୫୪.୪ ମାଇକ୍ରୋଗ୍ରାମ ରହିଥିଲା ବେଳେ ୨୦୨୪ରେ ଏହି ସ୍ତର୫୦.୬ ମାଇକ୍ରୋଗ୍ରାମ ରହିଛି। ଏହାସତ୍ତ୍ବେ ବିଭିନ୍ନ ସହରର ପ୍ରଦୂଷଣ ସ୍ଥିତିରେ ଅବନତି ଘଟିଥିବା କୁହାଯାଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢି ଚାଲିଛି। ଏଠାରେ ୨୦୨୩ରେ ପିଏମ ୨.୫ ସ୍ତର ପ୍ରତି ଘନ ମିଟର ପ୍ରତି ୯୨.୭ ମାଇକ୍ରୋଗ୍ରାମ ରହିଥିଲା ବେଳେ ବାର୍ଷିକ ସ୍ତରରେ ହାରାହାରି ଭାବେ ଏହା ୯୧.୬ ମାଇକ୍ରୋଗ୍ରାମ ରହିଥିବା କୁହାଯାଇଛି।