କଟକ, ତା୦୭।୦୩ : ରାଜ୍ୟରେ ଦିନକୁ ଦିନ ଜନସାଧାରଣଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହି ସମସ୍ୟାକୁ ଦୂର କରିବା ଦିଗରେ ରାଜ୍ୟରେ ଉନ୍ନତ ଧରଣର ଗୋଟିଏ ଛାତ ତଳେ ସମସ୍ତ ସୁବିଧା ଯୋଗାଉଥିବା ୧୪ ଗୋଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିର୍ମିତ ନୂଆପଲ୍ଲୀ ଥାନାରେ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ସେଥିମଧ୍ୟରେ ଯୋଡି ହୋଇଯାଇଛି କଟକ ସହରର ମଙ୍ଗଳାବାଗ ଓ ସିଆରଆରଆଇ ଥାନା।
ମଙ୍ଗଳାବଗ ଥାନାଟି ସହରର ଅତ୍ୟନ୍ତ ଭିଡଭିତରେ ଥିବାବେଳେ ସିଆରଆରଆଇ ଥାନାଟି ଚାଉଳିଆଗଞ୍ଜ ଥାନା ଅଧିନରେ ଯାଉଥିଲା । ଲୋକସଂଖ୍ୟା ବଢ଼ିବାରୁ ସିଆରଆରଆଇ ଥାନାର ରୂପରେଖ ସୃଷ୍ଟି ହୋଇଥିଲା । ଏହି ଗୃହ ନିର୍ମାଣ ପାଇଁ ଜାତୀୟ ରାଜପଥ ପାର୍ଶ୍ୱରେ ଏନ୍ଆରଆରଆଇ ପକ୍ଷରୁ ୫୦ ଡିସିମିଲ ଜାଗା ଯୋଗାଇ ଦିଅଯାଇଥିଲା। ଏହି ଜାଗା ମିଳିବା ପରେ ଓଡ଼ିଶା ପୁଲିସ ଷ୍ଟେଟ ହାଉସିଂ କ୍ୱାର୍ଟର ଷ୍ଟେଟ୍ ପ୍ଲାନ ୨୦୨୧-୨୨ ଅନୁସାରେ ୪ କୋଟି ଟଙ୍କା ବ୍ୟୟ ବରାଦରେ ଟେଣ୍ଡର ମାଧ୍ୟମରେ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏସି )ଜରିଆରେ ୨୦୨୨ ଅକ୍ଟୋବର ୧୦ ତାରିଖରୁ ସିଆରଆରଆଇ ଥାନାର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ନୂତନ ଗୃହଟି ୧୧ ହଜାର ୪୦୬ ଫୁଟ ପରିମିତ ତିନିମହଲା ବିଶିଷ୍ଟ ହେବା ସହ ଥାନା ଭିତରେ ଥାନା ଧିକାରୀଙ୍କ ରୁମ, ଲୋକମାନଙ୍କ ପାଇଁ ପ୍ରତୀକ୍ଷାଳୟ, ଅଭ୍ୟର୍ଥନା ଗୃହ, ମହିଳା ଓ ଶିଶୁ ଡେସ୍କ, ପୁରୁଷ ଓ ମହିଳା ହାଜତ, ଦୁଇଟି ଅଫିସ ହଲ୍, ଅସ୍ତ୍ରାଗାର, କାଉନସେଲିଂ ରୁମ୍, ମାଲଖାନା, ମହିଳା ଷ୍ଟାଫ ରୁମ୍ ଆଦି ରହିଛି। ଏଠାରେ ଇଟଂରଗ୍ରେସନ୍ ରୁମ୍, କନ୍ଫ୍ରେରେନ୍ସ ହଲ ସମେତ ଦୁଇଟି ବାରାକ ମଧ୍ୟ ରହିଛି। ପୁଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ କଥାପୋକଥନ ସମୟରେ ପୁଲିସର ସମସ୍ତ କାର୍ଯ୍ୟକଳାପକୁ ଅଭିଯୁକ୍ତର ଆଇନଜୀବୀ ଦେଖିପାରିବା ଭଳି ବ୍ୟବସ୍ଥା ମହଜୁୁଦ ରହିଥିବା ବେଳେ ଅଗ୍ନି ନିର୍ବାପନ ପାଇଁ ଏକାଧିକ ବ୍ୟବସ୍ଥା ମଧ୍ୟ ରହିଛି ।
ସିଆରଆରଆଇ ଥାନାର ନୂତନ ଗୃହକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାଷୀ ମାଧ୍ୟମରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଥାନା ପରିସରରେ ଆୟୋଜିତ ଉଦଘାଟନୀ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଏହି ଥାନା ପ୍ରତିଷ୍ଠା ହେବା ଦ୍ୱାରା ଲୋକମାନଙ୍କର ହେଉଥିବା ଉପକାର ବିଷୟରେ ମତବ୍ୟକ୍ତ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ବିଧାୟକ ସୌଭିକ ବିଶ୍ୱାଳ, ସଦରବ୍ଲକ ଅଧ୍ୟକ୍ଷା ଭାଗ୍ୟଲଷ୍ମୀ ରାଉତ, ୫୪ନଂ କର୍ପୋରେଟର ତାପସ ରଞ୍ଜନ ସାମନ୍ତରାୟ, ୫୫ନଂ କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା, ପୋତାପୋଖରୀ ପୂଜା କମିଟି, ନୂଆବଜ଼ାର ପୂଜାକମିଟି, ବିଦ୍ୟାଧରପୁର ପୂଜାକମିଟି, କହ୍ନେଇପୁର ପୂଜା କମିଟି, ଭଦିମୂଳ ପୂଜା କମିଟି, ମହିମାନଗର ପୂଜାକମିଟି, ବିଭିନ୍ନ ବରିଷ୍ଠ ନାଗରିକ ସଂଘ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ପୋଲିସ ଅଧିକାରୀଙ୍କ ମଧ୍ୟରେ ଏଡିସିପି ଦେବଦତ କର, ଏସିପି ଅରୁଣ ସ୍ୱାଇଁ, ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକଙ୍କ ସମେତ ବହୁ ଥାନା ଅଧିକାରୀ ଉପସ୍ଥିତ ଥିଲେ ।