ବୌଦ୍ଧ:- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ୨୦୨୪-୨୫ ଚୟନ ନିମନ୍ତେ ବିଚାରକ ମଣ୍ଡଳୀ ସଭା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା ବିଚାରକ ମଣ୍ଡଳୀର ସମସ୍ତ ସଦସ୍ୟଙ୍କ ଦ୍ୱାରା ପ୍ରତ୍ୟେକ ବ୍ଲକରୁ ଜଣେ ଜଣେ ଯୋଗ୍ୟ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନମାନଙ୍କର ଚୟନ ହୋଇଥିଲା l ତନ୍ମଧ୍ୟରୁ ପ୍ରକୃତି ମିତ୍ର ପୁରସ୍କାର ପାଇଁ ବୌଦ୍ଧ ବ୍ଲକର ତେଲିବନ୍ଧ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, କଣ୍ଟାମାଳ ବ୍ଲକର ବାଳ ରକ୍ଷା ଭାରତ ଓ ହରଭଙ୍ଗା ବ୍ଲକର ଝାଡ୍ରାଜିଙ୍ଗ ଆଶ୍ରମ ସ୍କୁଲ ମନୋନୀତ ହୋଇଥିଲେ l ସେହିପରି ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ବୌଦ୍ଧ ବ୍ଲକର ନବ କିଶୋର ଦୀପ, କଣ୍ଟାମାଳ ବ୍ଲକର ବନମାଳୀ ମେହେର ଓ ହରଭଙ୍ଗା ବ୍ଲକର ସୁଧୀର କୁମାର ଭୋଇ ମନୋନୀତ ହୋଇଥିଲେ l ପ୍ରକୃତି ମିତ୍ର ପୁରସ୍କାର ପାଇଁ ଚୟନ ହୋଇଥିବା ଅନୁଷ୍ଠାନମାନଙ୍କୁ ବିଶ୍ୱ ପରିବେଶ ଦିବସରେ ରାଜ୍ୟସ୍ତରୀୟ ଉତ୍ସବରେ ମାନପତ୍ର ସହିତ ୨୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ l ସେହିପରି ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ଚୟନ ହୋଇଥିବା ବ୍ୟକ୍ତି ବିଶେଷ ଜିଲ୍ଲାସ୍ତରରେ ବିଶ୍ୱ ପରିବେଶ ଦିବସରେ ରାଜ୍ୟସ୍ତରୀୟ ଉତ୍ସବରେ ମାନପତ୍ର ସହିତ ୧୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ l