ସମୟର ପରିବର୍ତ୍ତନ ସଂଗେ ସଂଗେ ଆଧୁନିକ ଜୀବନ ଉପରେ ବିଜ୍ଞାନ ତାର ଅପରିସୀମ କାୟା ବିସ୍ତାର କରିସାରିଲାଣି । ଏପରିକି ସାମ୍ପ୍ରତିକ ମାନବ ସମାଜ ମଧ୍ୟ ସମ୍ପୂର୍ଣ ମାତ୍ରାରେ ବିଜ୍ଞାନ ଉପରେ ନିର୍ଭରଶୀଳ ହୋଇପଡିଛି । ଉଭୟ ବିଜ୍ଞାନ ଏବଂ ଦର୍ଶନ ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ଭଳି କାର୍ଯ୍ୟ କରିଥାନ୍ତି ଏବଂ ଏହାର ମୁଖ୍ୟ ଲକ୍ଷ୍ୟ ହେଲା ଲୁକ୍କାୟିତ ତଥ୍ୟ ସବୁର ପର୍ଦ୍ଦାଫାଶ କରିବା । ଅଦ୍ୟାବଧି ୯ ଜଣ ଭାରତୀୟ ତଥା ପ୍ରବାସୀ ଭାରତୀୟ ନୋବେଲ ବିଜେତା ହେବାର ସୌଭାଗ୍ୟ ଲାଭ କରିଆସିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ସାର ଚନ୍ଦ୍ରଶେଖର ଭେଙ୍କଟରମଣ ପ୍ରଥମ ଏସୀୟ ତଥା ସମ୍ପୂର୍ଣ ଭାରତୀୟ ନାଗରିକ ଭାବରେ ବିଜ୍ଞାନ ବିଭାଗରେ ୧୯୩୦ ମସିହାରେ ତାଙ୍କର ‘ରମଣ ପ୍ରଭାବ’ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ହୋଇପାରିଥିଲେ ଯଦିଓ ବିଶ୍ଵଗୁରୁ ରବିନ୍ଦ୍ରନାଥ ଟାଗୋର ପ୍ରଥମ ଭାରତୀୟ ଭାବରେ ୧୯୧୩ ମସିହାରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇସାରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଡଃ ହରଗୋବିନ୍ଦ ଖୁରାନା ୧୯୬୮ ମସିହାରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏବଂ ‘ଚନ୍ଦ୍ରଶେଖରଙ୍କ ସୀମା’ ପାଇଁ ଡଃ ସୁବ୍ରମଣ୍ୟମ ଚନ୍ଦ୍ରଶେଖର ୧୯୮୩ ମସିହାରେ ତଥା ୨୦୦୯ ମସିହାରେ ଡଃ ଭେଙ୍କଟରମଣ ରାମକୃଷ୍ଣନ ରସାୟନ ବିଜ୍ଞାନ ବିଭାଗରେ ପ୍ରବାସୀ ଭାରତୀୟ ହୋଇ ନୋବେଲ ବିଜେତା ହେବାର ସୌଭାଗ୍ୟ ଲାଭ କରିଆସିଛନ୍ତି ଏବଂ ସମସ୍ତେ ଆମମାନଙ୍କର ନମସ୍ୟ । ଭାରତ ସରକାର ବିଜ୍ଞାନ ତଥା ବୈଷୟିକ ଦିଗ ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରି ପ୍ରତିବର୍ଷ ଫେବୃଆରୀ ମାସ ୨୮ ତାରିଖ ଦିନଟିକୁ ଜାତୀୟ ବିଜ୍ଞାନ ଦିବସ ଭାବରେ ୧୯୮୭ ମସିହା ଠାରୁ ପାଳନ କରିଆସୁଛନ୍ତି । କିନ୍ତୁ ଏଠାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମନକୁ ଆସେ ଯେ ପ୍ରକୃତରେ ବିଶ୍ୱର ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ବୋଲାଇଆସୁଥିବା ଭାରତବର୍ଷ ତାର ବୈଜ୍ଞାନିକ ମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିଆସୁଛି କି ? ତତସହିତ ଅଦ୍ୟାବଧି ବହୁ ଚର୍ଚ୍ଚିତ କୃତ୍ରିମ ବୁଦ୍ଧିମତା (Artificial Intelligence) ସମାଜ ପାଇଁ ଏକ ବରଦାନ ନା ଅଭିଶାପ ତାହା ମଧ୍ୟ ଗୁରୁତ୍ୱର ସହ ଆଲୋଚନା କରିବାର ଆବଶ୍ୟକତା ଅଛି ।
ସମୟ ବଦଳିଛି ଦେଶ ସ୍ୱାଧୀନତା ହାସଲ କରିବା ପରଠାରୁ ବିଜ୍ଞାନ ତଥା ଅନ୍ୟାନ୍ୟ କାରିଗରୀ ବିଦ୍ୟାରେ ଭାରତ ଅନ୍ୟ ଉନ୍ନତ ରାଷ୍ଟ୍ର ମାନଙ୍କ ସହିତ ପ୍ରାୟ ସମକକ୍ଷ ହୋଇପାରିଛି । ତେବେ କୃତ୍ରିମ ବୁଦ୍ଧିମତା କଣ ? ବାସ୍ତବିକ ମଣିଷ ମସ୍ତିଷ୍କର ଭାବନାକୁ ଯଦି କମ୍ପୁଟର କୋଡ଼ ମାଧ୍ୟମରେ ପ୍ରଯୁକ୍ତିର ରୂପ ଦିଆଯାଏ ତେବେ ମଣିଷ ଏବଂ ମେସିନ ଉଭୟଙ୍କ କାର୍ଯ୍ୟ ସିଦ୍ଧାନ୍ତ ଏକ ହିଁ ହୋଇଥାଏ । କୃତ୍ରିମ ଉପାୟରେ ଏହି ଶକ୍ତିକୁ ବିକାଶ କରାଯାଇଥିବାରୁ ତାହାକୁ କୃତ୍ରିମ ବୁଦ୍ଧିମତା (AI) ବୋଲି କୁହାଯାଉଛି । ତଫାତ ଏତିକି ଯେ ମନୁଷ୍ୟ ମାନଙ୍କର ସମସ୍ତ କାର୍ଯ୍ୟ ସମୟ ସମୟରେ ଠିକ ଠାକ ନ ଥିବା ସ୍ଥଳେ କୃତ୍ରିମ ବୁଦ୍ଧିମତା ବଳରେ ମେସିନ ସବୁ କିଛି ସଠିକ ଭାବରେ କରିଥାଏ । ତେଣୁ ଭବିଷ୍ୟତରେ ଏହି କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଦ୍ୱାରା ଅନେକ କୃତ୍ରିମ ସମସ୍ୟା ସବୁ ସୃଷ୍ଟି କରିବ ନାହିଁ ତ ତାହା ଜନମାନସ ପାଇଁ ଏକ ଆହ୍ବାନ ଏବଂ ପ୍ରଶ୍ନବାଚୀ ନିଶ୍ଚୟ । ସମୟର କଷଟି ପଥରେ ଭାରତ ତାର ଏହି ପବିତ୍ର ଭୂମିରେ ଏକ ଉନ୍ନତ ମାନର ବୈଷୟିକ ଗବେଷଣାଗାର ସବୁ ପ୍ରତିଷ୍ଠା କରିସାରିଛନ୍ତି । ପୂର୍ବରୁ ଉଚ୍ଚଶିକ୍ଷା ପାଇଁ ତଥା ଅଧିକ ଗବେଷଣା ଉଦ୍ଧେଶ୍ୟରେ ଭାରତୀୟ ପ୍ରତିଭା ମାନଙ୍କୁ ଦେଶାନ୍ତର ହେବାକୁ ପଡୁଥିବାସ୍ଥଳେ ବର୍ତ୍ତମାନ ସମସ୍ତ ପ୍ରକାର ବୈଷୟିକ ଶିକ୍ଷା ତଥା କାରିଗରୀ କୌଶଳ ଏହିଠାରେ ହିଁ ଉପଲବ୍ଧ । ସମ୍ପ୍ରତି ପରିବର୍ତ୍ତିତ ଭାରତୀୟ ସରକାର ମାନେ ଭାରତୀୟ ମେଧା ମାନଙ୍କୁ ଦେଶାନ୍ତର କରି ଏକ ବ୍ୟବସାୟିକ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରିଆସୁଛନ୍ତି । ଏହା ଦ୍ୱାରା ଜଣେ ମେଧାବୀ ଭାରତୀୟ ବିଶେଷଜ୍ଞ ଟିଏ ଅନ୍ୟ ଦେଶରେ ତାର ପ୍ରତିଭା କୁ ସଦୁପଯୋଗ କରି ଯାହା ଆୟ କରେ ତାର ମଜା ଉଠାଇଥାନ୍ତି ଭାରତ ସରକାର । ଯଦି ଆଜି ଭାରତ ବର୍ଷ ବିଦେଶୀ ପୁଞ୍ଜି ର ବୃଦ୍ଧି ଘଟାଇ ନିଜର ଆର୍ଥିକ ଭିତ୍ତିଭୂମି କୁ ସୁଦୃଢ କରିଥାଏ ତେବେ ବହୁକାଂଶରେ ଏହି ପ୍ରବାସୀ ଭାରତୀୟ ବୈଜ୍ଞାନିକ ମାନଙ୍କ ଦ୍ୱାରା । ତେଣୁ ଏଥିରେ ବ୍ୟବସାୟିକ ମନୋଭାବର ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହୋଇଥାଏ । ଏହାଦ୍ୱାରା ଆମ୍ଭେମାନେ ଆମ ନିଜ ଦେଶର ପ୍ରକୃତ ପ୍ରତିଭା ମାନଙ୍କୁ ଚିହ୍ନିତ କରିବାରେ ତ୍ରୁଟି କରିଥାଉ । ଏପରିକି ସେହି ସାଧକ ବୈଜ୍ଞାନିକ ମାନଙ୍କୁ ଉଚିତ ମୂଲ୍ୟାଙ୍କନ କରିବାରେ ମଧ୍ୟ ଅବହେଳା କରିଥାଉ।
ଅତୀତର ପୃଷ୍ଠା କୁ ଯଦି ଓଲଟା ଯାଏ ତେବେ ୧୯୮୩ ମସିହାରେ ଭାରତ ନିଜସ୍ୱ କୃତ୍ରିମ ଉପଗ୍ରହ ଇନସାଟ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ରେ ସଫଳତା ତଥା ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେବାର ଗୌରବ ହାସଲ କରିବା କିଛି କମ କଥା ନୁହେଁ ଏବଂ ସେହିଭଳି ଆଜି ର ଭାରତୀୟ ବିଜ୍ଞାନୀ ମାନଙ୍କ ଅହୋରାତ୍ର ଗବେଷଣା ର ସଫଳ ରୂପାୟନ ନେଇଛି ଭାରତ ର ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୩ ଠାରୁ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ-୧ ପର୍ଯ୍ୟନ୍ତ । ସମ୍ପ୍ରତି ଭାରତ ବର୍ଷରେ ସାଧାରଣ ଶିକ୍ଷାନୁଷ୍ଠାନ ତୁଳନାରେ ବୈଷୟିକ ଶିକ୍ଷାନୁଷ୍ଠାନ ମାନଙ୍କର ସଂଖ୍ୟା ଅଧିକ ଏବଂ ଏହା ଦ୍ୱାରା ବୈଷୟିକ ଶିକ୍ଷା କୁ ଅଧିକ ପ୍ରୋତ୍ସାହନ ଦିଆହୋଇଆସୁଅଛି ନିଶ୍ଚୟ । ଏହି କିଛି ବର୍ଷ ମଧ୍ୟରେ ସାଧାରଣ ସ୍ନାତକ ଡିଗ୍ରୀଧାରୀ ବ୍ୟକ୍ତିମାନଙ୍କ ଅପେକ୍ଷା ବୈଷୟିକ ଶିକ୍ଷା ପ୍ରାପ୍ତ ଧାରୀ ବ୍ୟକ୍ତି ମାନଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି ତେବେ ଏହା ଦ୍ୱାରା ଲାଭ କ୍ଷତି ର ବି ଅନୁଶୀଳନ ହେବା ର ସମୟ ଆସିଯାଇଛି । ବର୍ତ୍ତମାନ ବହୁ ବୈଷୟିକ ଶିକ୍ଷାଧାରୀ ବ୍ୟକ୍ତି ତାଙ୍କର ସଫଳ ଶିକ୍ଷାପ୍ରାପ୍ତ ପରେ ଭାରତୀୟ ସିଭିଲ ସେବା ପ୍ରତି ଆକର୍ଷିତ ହୋଇଆସୁଛନ୍ତି କାରଣ ଏହାଦ୍ୱାରା ସେମାନେ ନିଜ ନିଜର ଆର୍ଥିକ ଏବଂ ସାମାଜିକ ପ୍ରତିଷ୍ଠା କୁ ଜାହିର କରିବାରେ ଉପଯୁକ୍ତ କ୍ଷେତ୍ରଟିଏ ପ୍ରସ୍ତୁତ କରିଥାନ୍ତି ଏଥିରୁ ଏହା ସୁସ୍ପଷ୍ଟ ଯେ ଭାରତୀୟ ବ୍ୟବସ୍ଥାରେ କେବଳ ପ୍ରଶାସନିକ ସେବାର ଅଧିକାରୀ ମାନେ ହିଁ ସମସ୍ତ ସାମାଜିକ ପ୍ରତିଷ୍ଠା ତଥା ଅଖଣ୍ଡ କ୍ଷମତା ର ଅଧିକାରୀ ଏବଂ ଆଉ ଯେଉଁ ମାନେ ଅନ୍ୟ ପଦ ପଦବୀରେ ଅଧିଷ୍ଠିତ ସେମାନେ କୌଣସି କ୍ଷମତା ର ଅଧିକାରୀ ନୁହନ୍ତି ତେଣୁ ଆମର ଅହୋରାତ୍ର ଗବେଷଣାରତ ବୈଜ୍ଞାନିକ ମାନେ କାହିଁକି ବା ଏଥିରୁ ବାଦ ନ ପଡିବେ ଏହା ହିଁ ଏକ ବିବେକତା ର ପ୍ରଶ୍ନ । ସର୍ବଶେଷରେ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ମାନେ ଯେଉଁମାନେ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ଦେଶ ର ମର୍ଯ୍ୟାଦା ଏବଂ ଗୌରବ ଆଣିବାରେ ସମର୍ପିତ ସେମାନଙ୍କୁ କେବଳ ଆର୍ଥିକ ପ୍ରୋତ୍ସାହନ ନୁହେଁ ବରଂ ଯଥୋଚିତ ସମ୍ମାନ ତଥା ଆତ୍ମ ପ୍ରତିଷ୍ଠା ରେ ଭାଗିଦାରୀ କରିବା ହିଁ ଏକ ନିର୍ବାଚିତ ଗଣତାନ୍ତ୍ରିକ ସରକାରଙ୍କ ମୌଳିକ କର୍ତ୍ତବ୍ୟ ତଥା ଗୁରୁ ଦାୟିତ୍ୱ ହେଵା ଉଚିତ । ଜୟ ବିଜ୍ଞାନ… ଜୟ ଭାରତ।
ଅରୁଣୋଦୟ ନଗର , କଟକ-୧୨.
ଦୂରଭାଷ : ୭୦୦୮୬୯୧୪୩୪