ଆଜି ମାର୍ଚ୍ଚ ମାସର ୧ ତାରିଖ , ବିଶ୍ବ ଦହିବରା ଆଳୁଦମ ଦିବସ । ଦହିବରା ଆଳୁ ଦମ କହିଲେ ଆଖି ଆଗରେ ନାଚି ଉଠେ କଟକର ବାଲିଯାତ୍ରା ପଡ଼ିଆ ବା କିଲ୍ଲା ପଡ଼ିଆ , ବିଡାନାସୀ , କାଫଲା ଫାଣ୍ଡି , କନିକା ଛକ , ଦୋଳମୁଣ୍ଡାଇ , ବିଜୁପଟ୍ଟନାୟକ ଛକ , ଦେଉଳ ସାହି , ବାଲୁବଜାର , କଲେଜ ଛକ , ଚୌଧୁରୀ ବଜାର , ଚାନ୍ଦିନୀଚୌକ, ସିଡିଏ , ସେଲଟର ଛକ , ନୂଆବଜାର , ମହାନଦୀ ବିହାର ଇତ୍ୟାଦି ଇତ୍ୟାଦି । ସବୁଠାରୁ ବଡ଼କଥା ହେଉଛି ବାଉନ ବଜାର ତେପନ ଗଳି , ସବୁଠି ଦହିବରା ଆଳୁ ଦମର ମହମହ ବାସ୍ନାରେ ମହକି ଉଠେ କଟକର ଗଳିକନ୍ଦି । କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍ । ଓଡିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିବ । ଆଜି ଦହିବରା ଆଳୁଦମ ଦିବସରେ ପ୍ରତ୍ୟେକ୍ଷ ଲୋକ ଦହିବରା ଦିବସ ପାଳନ କରିଥାନ୍ତି ।ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ଦହିବରା ଆଳୁଦମ୍ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ । କିନ୍ତୁ କଟକ ଦହିବରାର ମଜା ନିଆରା । ଦହିବରାର ବିଭିନ୍ନ ପ୍ରକାରର ଭେରାଇଟି କଟକରେ ପ୍ରସ୍ତୁତ ହୁଏ । କଟକବାସୀ ଦହିବରା ଖାଇ ଦିନ ଆରମ୍ଭ କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । କଟକ ଦହିବରା ଆଳୁଦମ ବିଶ୍ବ ପ୍ରସିଦ୍ଧ । ବଟା ହୋଇଥିବା ବିରିକୁ ପ୍ରଥମେ ତେଲରେ ଛାଣି କିଛି ସମୟ ଦହି ମିଶା ଲୁଣ ପାଣିରେ ପକାଇ ଦିଆଯାଇଥାଏ । ଏହାପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧନିଆ ପତ୍ର, ଲଙ୍କା, ପିଆଜ, ଜିରା, ସୋରିଷରେ ଫୁଟଣ କରାଯାଇଥାଏ । ଏହାପରେ ଗୁଗୁନି ଏବଂ ଆଳୁଦମ ପ୍ରସ୍ତୁତ କରାଯାଇଥାଏ । ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ଶେଷ ପରେ ବାସ୍ନାରେ ଆଖପାଖ ଅଞ୍ଚଳ । ଆଉ ତା’ ଉପରେ ଚୁନା ଚୁନା କଟା ହୋଇଥିବା ପିଆଜ, ସେଉ, କଞ୍ଚାଲଙ୍କା, ଧନିଆପତ୍ର, ବିଟ୍ ଲୁଣକୁ ଟିକେ ଚାଟ୍ ମସାଲା ଦେଇ ପରସା ଦିଆଯାଏ । ଯାହା ଆଳୁଦମର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ରାଗ ରାଗ ଦହିବରା ସାଙ୍ଗକୁ ଶେଷରେ ଦହିପାଣି ଆହା ଆତ୍ମା ଶାନ୍ତି ହୋଇଗଲା ଭଳି ଲାଗିଥାଏ । କଟକର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଖଟା ଦହିବରା ଏବଂ ମିଠା ଦହିବରା ମିଳିଥାଏ ।
ଉପସ୍ଥାପନା
ଡ: ଧର୍ମଛଡା
ସାଧାରଣ ସମ୍ପାଦକ ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀ
କାଫଲା ବଜାର, କଟକ-୨