ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ଼.ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ | ୮୩ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ୧୦ଟା ୩୦ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି | ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ୧୯୪୧ ମସିହାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ | ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା | ଦେବଗଡ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ | ଏହା ଛଡା ବାଜପେୟୀ ସରକାରଙ୍କ ସମୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ | ୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ ଦେବେନ୍ଦ୍ର | ଏହାପରେ ୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ | ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ | ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ |
ଆଜି ଅପରାହ୍ନ ୪ଟା ୩୦ ମିନିଟରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଓଡ଼ିଶାରେ ଆସି ପହଞ୍ଚିବ | ଢେଙ୍କାନାଳ ସାଂସଦ ରୁଦ୍ର ପାଣିଙ୍କ ସୂଚନା ମୁତାବକ ଆଜି ତାଙ୍କର ପାର୍ଥିବ ଶରୀର ଓଡିଶା ଆସିବ | ଆସନ୍ତାକାଲି ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ |