ଯିଏ ଗାଳି ଦେଇନି ସେ ଶାନ୍ତି ପାଇନି ଆଉ ଯିଏ ଶାନ୍ତି ପାଇଛି ସେ କେବେ ଗାଳି ଦେଇନି ଅର୍ଥାତ ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ରାଗକୁ ନିଜ ଭିତରେ ସୀମିତ ରଖିପାରନ୍ତିନି ଯେଉଁଠି ଅନ୍ୟାୟ ହୁଏ, ଧୋକା ମିଳେ, ଠକାମୀର ଶିକାର ହେବାକୁ ପଡେ, କିଏ ଯଦି କାହା ଆତ୍ମସମ୍ମାନକୁ କଷ୍ଟ ଦେଲାଭଳି କାର୍ଯ୍ୟ କରେ କିମ୍ବା କିଏ କାହାକୁ ମିଛରେ ବଦଲାମ କଲେ ପାଟିରୁ ଗାଳିଟା ଏମିତି ଉଚ୍ଚାରଣ ହୁଏ ଯେ, ଜଣେ ବ୍ୟକ୍ତି ଯଦି ଶୁଣେ ସେ ସେଠାରୁ ଉଠିକି ପଳାଏ କିମ୍ବା ପରସ୍ପର ମଧ୍ୟରେ ଗାଳିର ପ୍ରତିଯୋଗିତା ହେଲାଭଳି ଗାଳିର ସବୁ ଭିନ୍ନ ଭିନ୍ନ ଶବ୍ଦ ଉଚ୍ଚାରଣ ହୁଏ | ଯେଉଁ ଶବ୍ଦ ଗୁଡିକ ମନର କ୍ରୋଧକୁ ଦ୍ବିଗୁଣିତ ବଢ଼ାଇ ଦେଇଥାଏ | ଏ କ୍ରୋଧ ସେତେବେଳେ ଶାନ୍ତ ହୋଇଥାଏ ଯେତେବେଳେ ଜଣେ ଜଣକୁ ଗାଳିରେ ପରାସ୍ତ କଲାଭଳି ଗାଳିର ପ୍ରୟୋଗ କରିଥାଏ |
ଅନେକ ସମୟରେ ଆମେମାନେ ବିଭିନ୍ନ ଲୋକଙ୍କ ସହ ମିଶିଛେ | ସମସ୍ତଙ୍କ ଆଚାର ବ୍ୟବହାର ପ୍ରତି ଆକୃଷ୍ଟ ହୋଇଛେ | ସେମାନଙ୍କୁ ନିଜର କହିଛେ ଆଉ ଯେତେବେଳେ କିଛି ନିଜର ହୋଇ ଆମ ସହିତ ବିଶ୍ୱାସଘାତ କରନ୍ତି ସେତେବେଳେ କିଛି ଲୋକ ସହି ଯାଆନ୍ତି ଆଉ କିଏ ମୁହଁ ଖୋଲି କହି ଦିଅନ୍ତି | ସମସ୍ତଙ୍କର କହିବା ଆଉ ଶୁଣିବା କଥା ଭିନ୍ନ ଭିନ୍ନ ହୋଇଥାଏ ଆଉ ଯେତେବେଳେ କିଛି କହିବା ଆଉ କିଛି ଶୁଣିବାରେ ଭୁଲ ହୋଇଯାଏ ସେତେବେଳେ ଗାଳିର ଉଗ୍ର ରୂପ ହିଂସା ଦେଖିବାକୁ ମିଳିଥାଏ | ଏହି ଗାଳି ମାଧ୍ୟମରେ ଆମ ସମାଜରେ ଅନେକ ହତ୍ୟା, ନିର୍ଯ୍ୟାତନା, ଶତ୍ରୁତା, ସମ୍ପର୍କରେ ଫାଟ, ଆପଣା ଲୋକଙ୍କ ଠାରୁ ଦୁଇ ହାତ ମାପି ଚାଲିବାକୁ ପଡିଥାଏ | ଯେମିତିକି ବିଶ୍ୱାସରେ ବିଷ ମିଶିଲେ ଅନେକ ଲୋକ ଅନ୍ୟ କିଛି ଲୋକକୁ ଆଖି ସାମ୍ନାରେ ଦେଖିବାକୁ ଚାହାଁନ୍ତିନି ସେଥିପାଇଁ ସେମାନେ ସେମାନଙ୍କ ଜୀବନରୁ ହଟେଇ ଦେବାକୁ ଉଦ୍ୟମ କରିଥାଆନ୍ତି କିନ୍ତୁ ଏସବୁ ଭୁଲ ହୋଇଥାଏ ଯାହାର ପରିଣାମ ବହୁତ ଭୟଙ୍କର ହୋଇଥାଏ | ଯେମିତିକି କେବେ ଥାନାରେ ଏତଲା ତ ଆଉ କେବେ କୋର୍ଟ କଚେରୀ ଯାଏଁ କଥା ଯାଇଥାଏ |
କେହି କେହି କୁହନ୍ତି ଗାଳି କଣ ସବୁ ଜାଗାରେ ସମସ୍ତଙ୍କୁ ଦେଇହୁଏ | ତେବେ ଏଠାରେ ଗୋଟେ କଥା କହିବି ଯେତେବେଳେ ମଣିଷ ଅନ୍ୟ ଜଣଙ୍କର କୌଣସି କାର୍ଯ୍ୟକଳାପକୁ ନେଇ ବିରକ୍ତିଭାବ ମନରେ ରଖେ ସେତେବେଳେ ସେ ନିଜ ମନକୁ ନିଜ ପାଖରେ ଆୟତ୍ତ କରିପାରେନି ସ୍ଥାନ, କାଳ, ପାତ୍ର କିଛି ଦେଖେନି କି ଲୋକ ଲଜ୍ୟାକୁ କେବେ ଡରେନି ବାସ ନିଜ ମନର କଥାକୁ ଗାଳି ମାଧ୍ୟମରେ ପ୍ରକାଶ କରିଦେଇଥାଏ | କେବଳ ଗାଁ ଗହଳିର ଲୋକ ପାଟିତୁଣ୍ଡ କଲେ ଗାଳି ଦିଅନ୍ତିନି ଗାଳିର ପ୍ରୟୋଗ ସବୁଠି ହେଉଛି | କେବେ ଅଫିସ ଭିତରେ ତ ଆଉ କେବେ ସୋସିଆଲ ମିଡିଆରେ ତ ପୁଣି କେବେ ଝଗଡା କରିବା ଭିତରେ ସବୁଠି ଗାଳିର ପ୍ରୟୋଗ କରାଯାଉଛି | ଯଦି ମଣିଷ ଗାଳି ଦେବନି ହୁଏତ ସେ ତା ଅନ୍ତର ଆତ୍ମାକୁ କେବେ ଶାନ୍ତି ଦେଇପାରିବନି | ଯଦିଓ ଗାଳିଦେବା ଏକ ହୀନମାନସିକତାର ଲକ୍ଷଣ କିନ୍ତୁ ଏ ଲକ୍ଷଣ ସେତେବେଳ ପର୍ଯ୍ୟନ୍ତ ଥିବ ଯେତେବେଳ ପର୍ଯ୍ୟନ୍ତ ମଣିଷ ମଣିଷର ଭାବନାକୁ ବୁଝିନଥିବ |
ଯଦିଓ ଗାଳିର ଗଳି ନଥାଏ କିନ୍ତୁ ଏହା ଦେହରେ ଗଳିଲା ଭଳି ହୋଇଥାଏ | ଯେମିତିକି କେହି ଯଦି କାହାକୁ ହଠାତ ଗାଳି କରେ ସେତେବେଳେ ସେହି ଗାଳିକୁ ଶୁଣି ଅନ୍ୟ ଜଣକର ମୁଣ୍ଡ ଗରମ ହୋଇଯାଇଥାଏ | କେମିତି ସେ ସେହି ଲୋକଙ୍କୁ ଗାଳି ଦେବ ତାର ସୁଯୋଗ ଖୋଜୁଥାଏ | ଯେପର୍ଯ୍ୟନ୍ତ ସେ ଅନ୍ୟ ଜଣକୁ ଗାଳି ଦେଇନଥାଏ ତା ମନ ସ୍ଥିର ନଥାଏ ଅସ୍ଥିର ହୋଇଯାଇଥାଏ | ହୁଏତ ମଦ୍ୟପାନ କରିଥିବା ଲୋକକୁ ବୁଝେଇ ହେବ କିନ୍ତୁ ରାଗ ଗରଗର ଲୋକକୁ ସେହି ସମୟରେ କିଛି ବୁଝେଇ ହେବନି | ସେତେବେଳେ ଠିକ କଣ ଭୁଲ କଣ କିଛି ଜଣା ପଡିବନି କିନ୍ତୁ ରାଗଥିବା ଲୋକ ଉପରେ ଯେତେବେଳେ ଗାଳିର ପ୍ରୟୋଗ ସରିବ ସେତେବେଳେ ମନକୁ ଆପେ ଆପେ ଶାନ୍ତି ମିଳିଯିବ | ସେଥିପାଇଁ ତ କୁହାଯାଏ ଯିଏ ନଦେଇଛି ଗାଳି ସେ କି ବୁଝିବ କଳି |
ତେବେ ଗାଳି ହେଉଛି ଏକ ଅପୂର୍ବ ଆନନ୍ଦ ଯେଉଁ ଆନନ୍ଦ ସମସ୍ତେ ପାଇପାରନ୍ତିନି ଆଉ ଯେଉଁମାନେ ଅନ୍ୟର ଗାଳିକୁ ସହି ଯାଆନ୍ତି ସେମାନେ ଅନ୍ୟର କଥାରେ ଉଠ ବସ ହେବାପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି | ବେଳେବେଳେ ଏହି ଗାଳି ପାଇଁ ଲୋକମାନେ ଖରାପ ଭାବନ୍ତି | ଗାଳି ଦେବା ଦ୍ୱାରା ସମ୍ମାନହାନି ହୋଇଥାଏ | ଗାଳି ପାଇଁ ମଣିଷର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥାଏ | ଗାଳି ଅଶାନ୍ତିର ବାତାବରଣ ସୃଷ୍ଟି କରିଥାଏ ଆଉ ଏହି ଗାଳିବି ଅନେକଙ୍କ ମନକୁ ଶାନ୍ତି ଦେଇଥାଏ | ଗାଳି ଦେବାଦ୍ୱାରା ମନର ରାଗ କମିଯାଇଥାଏ | ସେଥିପାଇଁ ତ ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ କଥାରେ ଗାଳି ଦେବାର ଅଭ୍ୟାସ ରଖିଥାଆନ୍ତି | ସେମାନଙ୍କ ମତରେ ଗାଳି ହିଁ ଏକମାତ୍ର ମାଧ୍ୟମ ଯେତେବେଳେ ମଣିଷ ଅନ୍ୟଜଣେ ମଣିଷ ଉପରେ ରାଗିଥିବ ସେତେବେଳେ ଯଦି ସେହି ଅନ୍ୟ ଜଣକୁ ଗାଳି ଦେଇଦେବ ତା ମନକୁ ଶାନ୍ତି ମିଳିଯିବ କାହିଁକି ନା ଗାଳିର ଅନ୍ୟ ରୂପ ଶାନ୍ତି |
ଯୁବ ସାମ୍ବାଦିକା
ଅନ୍ଧାରୁଆ, ଭୁବନେଶ୍ୱର
– 9090661586