କଟକ, ୧୬/୧୧ : ସମାଜ ନିର୍ମାଣରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଗଣମାଧ୍ୟମ ଅନୁଷ୍ଠାନ ଚାପ ଓ ପ୍ରଭାବ ମୁକ୍ତ ରହି କାର୍ଯ୍ୟକଲେ ଚତୁର୍ଥ ସ୍ତମ୍ଭର ଗୁରୁତ୍ୱ ବଢ଼ିବା ସଙ୍ଗେ ସଙ୍ଗେ ସାମ୍ବାଦିକ ଓ ସମ୍ବାଦପତ୍ର ଗୁଡ଼ିକର ମାନବୃଦ୍ଧି ବଜାୟ ରହିବ ବୋଲି ଦୈନିକ ‘ହିମ୍ମତ୍’ ଖବର କାଗଜ ଏବଂ ‘ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅବସରରେ ଯୋଗଦେଇ ବରେଣ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ରବିବାର ପୂର୍ବାହ୍ନରେ ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍ ପରିସର ଓ.ସି.ଏ ସମ୍ମିଳନୀ କକ୍ଷରେ ‘ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ’ର ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟଙ୍କ ପୌରହିତ୍ୟରେ ‘ହିମ୍ମତ୍’ ଖବର କାଗଜର ସଂପାଦକ ତଥା ରାଜ୍ୟ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ କମଳାକାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ମୁଖ୍ୟ ଅତିଥିଭାବେ କଟକ ମହାନଗର ନିଗମର ମେୟର ସୁବାସ ଚନ୍ଦ୍ର ସିଂହ ଯୋଗଦାନ କରି କହିଥିଲେ ସମ୍ବାଦପତ୍ର ସାମ୍ବାଦିକ ବନ୍ଧୁମାନେ ପ୍ରକୃତ ପରିଶ୍ରମର ଫଳ ପାଆନ୍ତି ନାହିଁ। ସେମାନେ ନିଜ ନିଜର ବୃତ୍ତିକୁ ବ୍ରତ ରୂପେ ଗ୍ରହଣ କରି ଅନେକ ସୁବିଧା ଅସୁବିଧାକୁ ନିଜ ଭିତରେ ଚାପି ରଖି ସମାଜ ସୁଧାର ପାଇଁ ଅବିରତ ଚେଷ୍ଟା ଜାରି ରଖନ୍ତି । ସାମ୍ବାଦିକମାନଙ୍କର ସୁରକ୍ଷା ଉପରେ ସରକାର ଧ୍ୟାନ ଦେବା ନିହାତି ଆବଶ୍ୟକ। ମୁଖ୍ୟବକ୍ତା ଭାବେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ସମାଜ ନିର୍ମାଣରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶର ବା ରାଜ୍ୟର ଯାହାକିଛି ଦାରିଦ୍ର୍ୟ, ଦଳିତ ନିଷ୍ପେଷିତ ଅବସ୍ଥାରୁ ମୁକ୍ତ ହୋଇଛନ୍ତି ସାମ୍ବାଦିକମାନଙ୍କ କଲମ ମୁନର ଶ୍ରେୟ ବୋଲି ଧରାଯିବ । ବିଶେଷ କରି ଗ୍ରାମୀଣ ସାମ୍ବାଦିକମାନଙ୍କର ସାହାଯ୍ୟ ସହଯୋଗ ପାଇଁ ସେ ସଦାସର୍ବଦା ତତ୍ପର ବୋଲି ନିଜର ଭାଷଣରେ କହିବା ସହ ଉପସ୍ଥିତ ସାମ୍ବାଦିକମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ସମ୍ମାନିତ ଅତିଥିଭାବେ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ କୁମାର ବିଶ୍ୱାଳ ଯୋଗଦାନ କରି କହିଥିଲେ ବର୍ତ୍ତମାନ ଶିଳ୍ପପତି, ବ୍ୟବସାୟୀ ଗୋଷ୍ଠୀ ସମ୍ବାଦପତ୍ରର ମାଲିକାନା ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କର ଅର୍ଥ ଓ କଳାଧନର ସୁରକ୍ଷା ପାଇଁ ଗଣମାଧ୍ୟମକୁ ଢାଲ କରୁଛନ୍ତି । ବର୍ତ୍ତମାନ ନିର୍ଭୀକ ନିରପେକ୍ଷ ଖବର ପଢିବାର ଆଶା ଅଧିକ ଥିଲେ ବି ଏ ସବୁ ଆଗଭଳି ପ୍ରକାଶ ପାଇ ପାରୁନାହିଁ । ଏଥିପ୍ରତି ସଂପାଦକ ଓ ସାମ୍ବାଦିକମାନେ ଧ୍ୟାନ ଦେବା ନିହାତି ଆବଶ୍ୟକ ରହିଛି। ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଶିଷ୍ଠ ଶିଶୁ ସାହିତ୍ୟିକ ଡକ୍ଟର ସୁନାମଣି ରାଉତ ଓଡ଼ିଶାରେ ଖବର କାଗଜର ଇତିହାସ କୁଜୀବର ପତ୍ରିକାଠାରୁ ଆରମ୍ଭକରି ଆଜିର ସମ୍ବାଦ ପରିବେଷଣ ବିଷୟରେ ବର୍ଣ୍ଣନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ କଟକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଫୁଲ୍ଲ ସିଂହ ଯୋଗଦାନ କରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକମାନଙ୍କୁ ଅଭିନନ୍ଦନ ଦେବା ସଙ୍ଗେ ସଙ୍ଗେ ଜାତୀୟ ପ୍ରେସ୍ ଦିବସରେ ସେମାନଙ୍କର ସ୍ୱର ଓ ଲେଖନୀ ଅଧିକ ଶାଣିତ ହେଉ ବୋଲି ବକ୍ତବ୍ୟ ରଖିଥିଲେ। ରାଜ୍ୟ ‘ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ’ର ସଭାପତି ସଂଜୟ ଦାସ, ସଂପାଦକ ପ୍ରଦ୍ୟୁମ୍ନ ଦାସ, ପ୍ରସନ୍ନ ପୃଷ୍ଟି ସାମ୍ବାଦିକମାନଙ୍କର ହିତ ସାଧନ ନିମନ୍ତେ ଏବଂ ଓଡ଼ିଶାର ସମ୍ବାଦପତ୍ର ଗୁଡ଼ିକର ବୟବୃଦ୍ଧି ନିମନ୍ତେ ନିଜ ନିଜର ମତ ପ୍ରଦାନ କରିଥିଲେ। ଏଥିରେ ଓଟିଭିର କଟକ ଜିଲ୍ଲା ପ୍ରତିନିଧି ମନୋଜ ଆଚାର୍ଯ୍ୟଙ୍କୁ ‘ହିମ୍ମତ୍ବାଲା ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯିବା ସହ ଅନ୍ୟାନ୍ୟ ବରିଷ୍ଠ ବିଶିଷ୍ଠ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ହିମ୍ମତ୍’ ଖବର କାଗଜର ପରିଚାଳନା ସଂପାଦକ ହରଷ କୁମାର ସାହୁ, ସହ-ସଂପାଦକ ଇନ୍ଦ୍ରମଣି ମଲ୍ଲିକ, ବାର୍ତ୍ତା ସଂପାଦକ ଚିତ୍ତରଞ୍ଜନ ମହାନ୍ତି, ସାମ୍ବାଦିକ ଅମରେନ୍ଦ୍ର ମହାପାତ୍ର, ସାମ୍ବାଦିକ କର୍ମେଶ୍ୱର ସ୍ୱାଇଁ, ହରପ୍ରିୟା ଦଳବେହେରା, ମଞ୍ଜୁଲତା ଇନ୍ଦ୍ରଜିତ, ବନମାଳୀ ରଥ ଓ କଟକ ସହରର ବୁଦ୍ଧିଜୀବୀ ଡ. କିଶୋର ଚନ୍ଦ୍ର ଦାଶ, ବିଶିଷ୍ଟ ବ୍ୟଙ୍ଗକବି ବିଭୁପ୍ରସାଦ ନାୟକ (ଡକ୍ଟର ଧର୍ମଛଡ଼ା), ଗୋଳମାଳର ସଂପାଦକ ମାଧବଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ ଦିଲ୍ଲୀପ ଦାସ ସମେତ ବହୁ ବିଶିଷ୍ଟ ବରିଷ୍ଠ ସାମ୍ବାଦିକ ବନ୍ଧୁମାନେ ଯୋଗଦାନ କରି ଜାତୀୟ ପ୍ରେସ୍ ଦିବସ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ। ଘୋଷକ ରବୀନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଶେଷରେ ସାମ୍ବାଦିକ ବିଶ୍ୱଜିତ୍ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।










































