ନୂଆଦିଲ୍ଲୀ : (ସୁରଞ୍ଜିତା ରଣା/କିଶୋର ସିହ୍ନା) : ନୂଆଦିଲ୍ଲୀଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ପଞ୍ଚମ ଦିନରେ ସଂସଦୀୟ କମିଟିର ସଦସ୍ୟମାନେ ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଥିଲେ। ଏଠାରେ ପ୍ରତିଫଳିତ ହେଉଥିବା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟ ସହିତ ବିକାଶର ପ୍ରତିଛବିକୁ ସେମାନେ ପ୍ରଶଂସା କରିଥିଲେ।
ଏହି କମିଟିରୁ ବହରମପୁରର ସାଂସଦ ଶ୍ରୀ ୟୁସୁଫ ପଠାନ ଏବଂ ଆସ୍କାର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ। ସେମାନେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ଶିଳ୍ପୀ ଓ ବୁଣାକାରଙ୍କ ସହ କଥା ହୋଇଥିଲେ।
ଏଠାରେ ଅନନ୍ୟ ହସ୍ତତନ୍ତ, ହସ୍ତଶିଳ୍ପ ତଥା ଗ୍ରାମୀଣ ଉତ୍ପାଦ ସବୁ ପ୍ରଦର୍ଶନ କରାଯାଉଛି। ଲାଇଭ୍ ଡେମନଷ୍ରେସନ ଅନ୍ୟତମ ଆକର୍ଷଣ ପାଲଟିଛି। ଓଡ଼ିଶା ମଣ୍ଡପରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଥିମକୁ ଭଲଭାବେ ପ୍ରଦର୍ଶନ କରାଯାଉଛି,’’ କହିଛନ୍ତି ସାଂସଦ ଶ୍ରୀ ୟୁସୁଫ ପଠାନ। ସେହିପରି ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ କହିଛନ୍ତି, “ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସମସ୍ତଙ୍କୁ ଆକର୍ଷିତ କରୁଛି। ଏଠାରେ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ଅଧିକାଂଶ ଷ୍ଟଲରେ ମହିଳାମାନେ ନେତୃତ୍ୱ ନେଉଛନ୍ତି, ଯାହା ସମସ୍ତଙ୍କୁ ନାରୀ ସଶକ୍ତିକରଣର ଏକ ସୁନ୍ଦର ବାର୍ତ୍ତା ଦେଉଛି।
ନୂଆଦିଲ୍ଲୀର ‘ଭାରତ ମଣ୍ଡପମ’ଠାରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖ ଯାଏଁ ଚାଲିବ। ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଥିମକୁ ନେଇ ଚଳିତବର୍ଷ ଓଡ଼ିଶା ମଣ୍ଡପର ଡିଜାଇନ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସହଯୋଗୀ ସଂସ୍ଥା ପକ୍ଷରୁ ମୋଟ ୨୮ଟି ଷ୍ଟଲ୍ ଖୋଲାଯାଇଛି।










































