ଭୁବନେଶ୍ବର: ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ ଘଟିଲା। ଶେଷରେ ଉଠିଲା ମହାଦୀପ। ରାତି ୧୦ଟାରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିବ ବୋଲି ସମୟ ନିର୍ଦ୍ଧାରିତ ହୋଇଥିଲେ ହେଁ ସାମାନ୍ୟ ବିଳମ୍ବ ହୋଇଥିଲା ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ପ୍ରଭୁଙ୍କ ଦର୍ଶନ କରିଥିବାବେଳେ ସନ୍ଧ୍ୟାରୁ ବସି ଦୀପ ଜାଳିଥିବା ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କର ଏହି ଦିବ୍ୟ ମହାଦୀପ ଦର୍ଶନ କରିଛନ୍ତି।
ମହାଦୀପ ଉଠିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ବଡ଼ ଅଘଟଣ। ମହାଦୀପ ଧରି ଲୁହା ଶିକୁଳିରେ ମନ୍ଦିର ଚଢ଼ୁଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଅଘଟଣ ପରେ ମନ୍ଦିର ପରିସରରେ ଏକ ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନଙ୍କ ମନରେ ବିଭିନ୍ନ ପ୍ରକାରର ଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚଢ଼ିଥିଲେ ଏବଂ ସ୍ବାଭାବିକ ଭାବେ ମନ୍ଦିର ଚୂଡ଼ାରେ ମହାଦୀପ ଲାଗିଥିଲା। ମହାଦୀପ ଦର୍ଶନ ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି ଆଧ୍ୟାତ୍ମିକ ପରିବେଶକୁ ଫେରିଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି ପରେ ସେବାୟତ ଯୋଗେନ୍ଦ୍ର ଓ ଅନ୍ୟମାନେ ମହାଦୀପ ଧରି ମନ୍ଦିର ଚଢ଼ିବାକୁ ବାହାରିଥିଲେ। ମହାଦୀପ ଉଠିଲା ବେଳେ ସେବୟାତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱନୀ ସମର୍ଥା ମନ୍ଦିର ଉପରେ ଥିଲେ। ବାପା ଖସି ପଡ଼ିଲା ପରେ, ବଡ ବାପାଙ୍କ ପୁଅ ମହାଦୀପ ନେଇ ଉପରକୁ ଯାଇଥିଲେ। ଗତ ୨୫ରୁ ୩୦ ବର୍ଷ ହେଲେ ବାପା ମହାଦୀପ ଉଠାଉଛନ୍ତି। ଏଭଳି ଘଟଣା କେବେ ଘଟି ନ ଥିଲା । ମହାପ୍ରଭୁଙ୍କ କଣ ଇଚ୍ଛା ଆମେ ଜାଣିନୁ। ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଲା। ମହାଦୀପ ଉଠିବା ନେଇ ଦେଶବାସୀ ଅପେକ୍ଷା କରିଥାନ୍ତି। ପ୍ରଶାସନର ଅବହେଳାରୁ ଏଭଳି ଘଟଣା ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ମନ୍ଦିର ପ୍ରଶାସନ ଅବହେଳା ନେଇ ଲୋକଙ୍କ ଅଭିଯୋଗ ରହିଛି ବୋଲି ସେ କହିଛନ୍ତି। ମହାଦୀପରେ ତେଲର ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା। ସମର୍ଥା ସେବୟାତଙ୍କ ଉପରେ ପ୍ରଶାସନ ଧ୍ୟାନ ଦିଅନ୍ତୁ। ଆମ ସେବାରେ ଜୀବନ ପତି ବିପଦ ରହୁଛି ବୋଲି ସେବାୟତ ଅଶ୍ୱନୀ ସମର୍ଥା କହିଛନ୍ତି। ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ପ୍ରମୁଖ ହସ୍ପିଟାଲ୍ରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଚିକିତ୍ସା କଥା ବୁଝିଥିଲେ।
ଏହି ଅଘଟଣକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରାଶାସନିକ ତ୍ରୁଟି ଓ ଅବହେଳାକୁ ଅନେକ ଦାୟୀ କରିଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ୍ ରାଣା କହିଛନ୍ତି ଯେ ଘଟଣା ପଛର କାରଣ ସଂପର୍କରେ ତଦନ୍ତ କରାଯିବ। ଆହତ ସେବାୟତଙ୍କ ଚିକିତ୍ସା ଓ ମନ୍ଦିରର ନୀତିକାନ୍ତି ବ୍ୟବସ୍ଥାରେ ଯେମିତି କୌଣସି ତ୍ରୁଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ସୂଚନାଯୋଗ୍ୟ, ଅଘଟଣ ପରେ ମହାଦୀପ ଉଠିଥିଲା ଏବଂ ପରେ ମନ୍ଦିରରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ରକ୍ତ ଛିଟା ପଡ଼ିଥିବାରୁ ବିଧି ଅନୁସାରେ ଶୋଧନ ନୀତି କରାଯାଇଥିଲା।