ମାଲକାନଗିରି : ମାଟ୍ରିକ୍ ର ଆଜି ଶେଷ ପରୀକ୍ଷା ଥିଲା । ପିଲାଙ୍କ ମନରେ ବେଶ୍ ଉତ୍ସାହ । ଜୀବନର ସବୁଠୁ ବଡ଼ ପରୀକ୍ଷା ସରିବ । ଆଉ ଦୀର୍ଘ ଦିନର ପାଠ ପଢା ଭିତରୁ ଟିକିଏ ରିଲାକ୍ସ ହେବେ ଛାତ୍ରଛାତ୍ରୀ । ସେହି ଖୁସିରେ ଆଜି ମାଟ୍ରିକ୍ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଇଛନ୍ତି । ସଂସ୍କୃତ ଓ ହିନ୍ଦି ପରୀକ୍ଷା ଦେବେ । ଆଉ ପରୀକ୍ଷା ସରିଲେ କ’ଣ କରିବେ, ସେନେଇ ମନ ଭିତରେ ଅନେକ ପ୍ଲାନ୍ ବି କରିଛନ୍ତି । ହେଲେ ଏହି ଖୁସି ଜଣେ ଛାତ୍ରଙ୍କ ଭାଗ୍ୟରେ ଜୁଟିନାହିଁ । ଖୁସିରେ ପରୀକ୍ଷା ଦେବାକୁ ବାହାରିଥିଲେ ସତ ହେଲେ ପରୀକ୍ଷା ହଲ୍ ରେ ପହଂଚି ପାରିଲେନି । ଅଧା ରାସ୍ତାରେ ଚାଲିଗଲା ଜୀବନ । ଜୀବନର ସବୁଠୁ ବଡ଼ ପରୀକ୍ଷା ଶେଷ ହେବା ପୂର୍ବରୁ ଲିଭିଗଲା ଜୀବନ ଦୀପ ।
ଘଟଣା ଘଟିଛି ମାଲକାନଗିରିରେ । ପଦ୍ମଗିରି ଉଚ୍ଚ ବିଦ୍ୟାଳୟର ଛାତ୍ର ବିକ୍ରମ ସର୍ଦ୍ଦାର ଓ ତାଙ୍କ ଭାଇ ତାପସ ସର୍ଦାର ପରୀକ୍ଷା ଦେବାକୁ ଏମଭି ୧୦୧ ଗାଁରୁ ବାଇକ୍ ରେ ସେରପଲ୍ଲୀ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ । ରାସ୍ତାରେ ଯିବା ବେଳେ ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା ଏକ ପିକ୍ଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ଛାତ୍ର ବିକ୍ରମ୍ ସର୍ଦ୍ଦାରଙ୍କ ମୃତ୍ୟୁ ହୋଇଥିବା ବେଳେ ତାପସ ଗୁରୁତର ଆହତ ହୋଇଥିବା ଜଣାପଡିଛି।