ଭୁବନେଶ୍ୱର: ନିର୍ବାଚିତ ବିଧାୟକ ମାନଙ୍କୁ ବିଧାନସଭା ପରିସର ଭିତରକୁ ଯିବାକୁ ନଦେବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ପୋଲିସ ବିଧାନସଭାର ନୀତି ନିର୍ଦ୍ଧାରକ ସାଜିଛି ଏବଂ ବାଚସ୍ପତି ସରକାରୀ ଦଳର ହାତବାରିସି ସାଜିଛନ୍ତି। ଗତକାଲି ରାତି ଏବଂ ଆଜିର ଘଟଣାକ୍ରମକୁ ଦେଖିଲେ ଏଭଳି କିଛି ପ୍ରତୀୟମାନ ହେଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ତମାମ ବରିଷ୍ଠ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ସାଂସଦ ଅମର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ସମୀର ରାଉତରାୟ, ଅଖିଳଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରାଙ୍କ ଉପସ୍ଥିତିରେ ପିସିସି ସଭାପତି ରାଜ୍ୟର ବିଜେପି ସରକାରର ମହିଳା ହିଂସାକୁ ନେଇ ଦୋମୁହାଁ ନୀତିକୁ କଠୋର ସମାଲୋଚନା କରିବା ସହିିତ ମୋହନ ସରକାର ସମୟରେ କ୍ରମାଗତ ଭାବରେ ବଢ଼ୁଥିବା ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ପାଶବିକ ଅତ୍ୟାଚାରକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ।
ପୂର୍ବତନ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ପ୍ରଥମଥର ପାଇଁ ଓଡ଼ିଶା ବିଧାନସଭା ଇତିହାସରେ ବାଚସ୍ପତିଙ୍କର ବିନାନିର୍ଦ୍ଦେଶନାମାରେ ପୋଲିସ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ବିଧାନସଭା ପରିସର ଭିତରକୁ ଯିବାକୁ ଦେଉନାହିଁ। ଗତକାଲି ରାତିରେ ପୂର୍ବତନ ବିଧାୟକ ହିସାବରେ ସେ ବିଧାନସଭା ଭିତରକୁ ଯାଇ କଂଗ୍ରେସର ଧାରଣାରତ ବିଧାୟକ ମାନଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ପୋଲିସ ତାଙ୍କୁ ଯିବାକୁ ଦେଇନଥିଲା। ସେ ବ୍ୟକ୍ତିଗତ ଭାବରେ ବାଚସ୍ପତିଙ୍କ ସହିତ ଫୋନ ଯୋଗେ କଥାହେବା ପାଇଁ ଚାହିଁଥିଲେ ମଧ୍ୟ ବାଚସ୍ପତି ତାଙ୍କ ଫୋନକୁ ଉଠାଇନଥିଲେ କିମ୍ବା କଲକୁ ରିସିଭ କରିନଥିଲେ। ପୋଲିସ ବଳପୂର୍ବକ ୫ଜଣ ପୂର୍ବତନ ବିଧାୟକ ଏବଂ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଜୋରଜବରଦସ୍ତ ଗାଡ଼ିରେ ଉଠାଇ ନେଇଥିଲା। ବିଜେପି ଗଣତନ୍ତ୍ରର ଗାରିମାକୁ ନଷ୍ଟ କରିବା ସହିତ ଗଣତନ୍ତ୍ରକୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରୁଛି ଯାହାକୁ ପ୍ରଦେଶ କଂଗ୍ରେସ ତରଫରୁ ଜୋରଦାର ବିରୋଧ କରାଯିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ଯେ ଓଡ଼ିଶା ସମେତ ବିଜେପି ଶାସିତ ଅନେକ ରାଜ୍ୟରେ ମହିଳାକମିସନଙ୍କୁ ସ୍ଥାଣୁ ଅବସ୍ଥାରେ ରଖାଯାଇଛି। ଆଜି ଗୃହବିଭାଗର ରିପୋର୍ଟ ସାର୍ବଜନୀନ ହେଲାପରେ ଜଣାଗଲା ଯେ ପ୍ରତେକଦିନ ଓଡ଼ିଶାରେ ୮ଟି ଦୁଷ୍କର୍ମ ଘଟଣା ଘଟୁଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆସନ୍ତା ୨୭ ତାରିଖ ଦିନ ଓଡ଼ିଶା ବିଧାସଭା ଘେରାଉ କାର୍ଯ୍ୟକ୍ରମକୁ ଓଡ଼ିଶାର କୋଣ ଅନୁକୋଣରେ ସମସ୍ତ ଓଡ଼ିଶାବାସୀ ସମର୍ଥନ ଦେବାପାଇଁ ସେ ଅନୁରୋଧ କରିଥିଲେ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ ଯେ ଓଡ଼ିଶାର ବାଚସ୍ପତି ନିଜେ ମହିଳା ହୋଇଥିବା ବେଳେ ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କର ମହିଳା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ବିବୃତି ଏବଂ ଗୃହକମିଟି ଗଠନ ଦାବିକୁ ଆଗ୍ରାହ୍ୟ କରି ୧୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିବା ଗଣତନ୍ତ୍ରକୁ ହତ୍ୟା କରିବା ସହିତ ସମାନ। ଗତକାଲି ରାତିରେ କଂଗ୍ରେସର ୧୨ଜଣ ବିଧାୟକ ବିଧାନସଭା ପରିସର ଭିତରେ ଅଖିଆ ଅପିଆ ଧାରଣ ଦେଇଥିଲେ ମଧ୍ୟ ତାଙ୍କୁ ଦେଖାହେବା ପାଇଁ ପୂର୍ବତନ ବିଧାୟକ ମାନଙ୍କୁ ପୋଲିସ ନଛାଡ଼ିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ।ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ବର୍ତମାନ ବିଜେପି ସରକାର ସମୟରେ ଓଡ଼ିଶାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରତ୍ୟେକ ଦିନ ହତ୍ୟାକରାଯାଉଛି।