ବୌଦ୍ଧ:- ବୌଦ୍ଧ ଟାଉନହଲଠାରେ ଜିଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଶ୍ରମିକମାନଙ୍କୁ ପଞ୍ଜିକରଣ ପତ୍ର ଓ ସହାୟତା ପ୍ରଦାନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୪୬୭ ଜଣ ହିତାଧିକାରୀମାନଙ୍କୁ ୨ କୋଟି ୯୩ ଲକ୍ଷ ୪୨ ହଜାର ଟଙ୍କା ଡିବିଟି ମୋଡରେ ପ୍ରଦାନ କରାଯାଇଥିଲା l ୯ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୨ ଲକ୍ଷ ୫ ହଜାର ଲେଖାଏଁ ଟଙ୍କା ୧୯ ଜଣଙ୍କୁ ବିବାହ ସହାୟତା ବାବଦକୁ ୫୦ ହଜାର ଲେଖାଏଁ ଟଙ୍କା ଏବଂ ପ୍ରସବକାଳୀନ ସହାୟତା ବାବଦରେ ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା l ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇ ଶ୍ରମିକମାନେ ମେରୁଦଣ୍ଡ ଏବଂ ସେମାନଙ୍କ ବିନା କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ l ଏଥିସହ ଅନଲାଇନ ପୋର୍ଟାଲରେ ଶ୍ରମିକମାନଙ୍କୁ ମିଳିଥିବା ପ୍ରୋତ୍ସାହନ ରାଶି ନିଶ୍ଚିତ ସେମାନଙ୍କର ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ l ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରୋତ୍ସାହନ ପାଇଁ ଅନଲାଇନରେ ଆବେଦନ କରିପାରିବେ ଓ ସେଥିପାଇଁ କୌଣସି ମଧ୍ୟସ୍ଥିର ଆବଶ୍ୟକ ନାହିଁ ବୋଲି କହିଥିଲେ l ସମାରୋହରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ନିର୍ମାଣ ଶ୍ରମିକଙ୍କୁ ବିଶ୍ୱକର୍ମା ବୋଲି ସମ୍ବୋଧନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ l ଅଧିକ ତଥ୍ୟ ଜାଣିବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏ ନେଇ ସୂଚନା ପାଇପାରିବେ ଏବଂ ସେମାନେ ଆର୍ଥିକ ସ୍ୱାବଲମ୍ବି ହେବା ସହ ପିଲାଙ୍କୁ ଭଲ ଭାବେ ପାଠ ପଢାଇ ପାରିବେ, ବିବାହ ସହାୟତା, ମୃତ୍ୟୁକାଳୀନ ସହାୟତା ପାଇ ପାରିବେ ବୋଲି କହିଥିଲେ l ଅନଲାଇନରେ ଡିବିଟି ମୋଡ଼ରେ ମିଳିଥିବା ସହାୟତା ବିଷୟରେ ସୂଚନା ଦେଇଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ପଞ୍ଚାୟତ ସମିିତି ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଏବଂ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ମଧ୍ୟସ୍ଥିଙ୍କ ହାବୁଡ଼ରେ ନ ପଡି ସମସ୍ତ ପ୍ରକାର ସହାୟତା ପାଇଁ ଅନଲାଇନ ରେ ଆବେଦନ କାରିବାକୁ ପରାମର୍ଶ ଦେଇଥିଲେ l ନିର୍ମାଣ ଶ୍ରମିକ ବିନା କୌଣସି ପ୍ରକାର ବିକାଶ ସମ୍ଭବପର ନୁହେଁ ବୋଲି କହିବା ସହ ସେମାନଙ୍କ ଉପରେ ନିଜ ନିଜ ଅଭିମତ ରଖିଥିଲେ l ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ସ୍ୱାଗତ ଭାଷଣରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକମାନଙ୍କୁ ମିଳୁଥିବା ସରକାରୀ ସୁବିଧା, ସୁଯୋଗ ବିଷୟରେ ସୂଚନା ଦେବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ l ସମାରୋହରେ ସମସ୍ତ ଟ୍ରେଡ ୟୁନିୟନର କର୍ମକର୍ତ୍ତା ବୃନ୍ଦ, ନିର୍ମାଣ ଶ୍ରମିକ, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l