ଭୁବନେଶ୍ୱର: ବିଧାନସଭା ଅଧିବେଶନ ଜାରି ଥିବା ସମୟରେ ବିରୋଧୀ ଦଳର ବିଧାୟକମାନେ କରୁଥିବା ହଙ୍ଗାମା ନେଇ ବାଚସ୍ପତି ସୁରମା ପାଢ଼ୀ ବୁଧବାର ଦିନ ଗୃହରେ ବିବୃତି ରଖିଛନ୍ତି। ସେ କହିଛନ୍ତି, ୭ ତାରିଖ ଗୃହ କାର୍ଯ୍ୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ। ଫ୍ଲାଗ କାର୍ଡ, ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ। ୨୦ ମାର୍ଚ୍ଚରୁ କଳା ବ୍ୟାଜ, କଳା ପୋଷାକ ପରିଧାନ କରି ହୁଇସିଲ ତୂରୀ, ଘଂଟ ଓ ବଂଶୀ ବଜାଇ ଗୃହକାର୍ଯ୍ୟରେ ବାଧା ପହଂଚାଇଥିଲେ।
ବାଚସ୍ପତି କହିଛନ୍ତି, ମୋଟ ୧୨ଟି କାର୍ଯ୍ୟ ଦିବସରୁ ୨ଟିରେ ପ୍ରଶ୍ନୋତର କାର୍ଯକ୍ରମ ଚାଲି ଥିଲା। ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯ ଘଂଟା ୨ ମିନିଟ ଗୃହ କାର୍ଯ୍ୟ ଚାଲି ପାରିନଥିଲା। ସେଥିପାଇଁ ମାର୍ଚ୍ଚ ୧୦ ,୧୩, ୨୪ ଓ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା। କିନ୍ତୁ ଏହା ସତ୍ୱେ ବିରୋଧୀ ଦଳର ବିଧାୟକମାନେ ବିଶୃଙ୍ଖଳିତ ଆଚରଣ ଜାରି ରଖିଥିଲେ। ୨୧ ମାର୍ଚ୍ଚ ଉପବାଚସ୍ପତି ରୁଲିଂ ଦେଇଥିଲେ ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ।
ଏ ସବୁ ସତ୍ୱେ ବିଶୃଙ୍ଖଳିତ ଆଚରଣ ଜାରି ରଖିବାରୁ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଗତକାଲି ନିଲମ୍ବନ କରାଯାଇଥିଲା। ଏହା ପରେ ବି ସେମାନେ ଗୃହ ପରିତ୍ୟାଗ କରିନଥିଲେ। ଗୃହ ପରିତ୍ୟାଗ ନକରି ଅହୋରାତ୍ର ଧାରଣାରେ ରହିବେ ବୋଲି ଜଣାଇବା ପରେ ସୁରକ୍ଷା ସହିତ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ବିଧାନସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଥିଲି। କିନ୍ତୁ ରାତ୍ର ୯ ଘଟିକା ସମୟରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହିତ ଆସିଥିବା କିଛି ରାଜନୀତିକ କର୍ମୀ ମାର୍ଶାଲ ଓ ସୁରକ୍ଷା କର୍ମୀଙ୍କୁ ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ। ଯେଉଁଥିରେ ସେମାନେ ଆହତ ହୋଇଥିଲେ ଏବଂ ଚିକିତ୍ସିତ ହେଉଛନ୍ତି। ପୁନର୍ବାର ରାତ୍ରି ୨ ଟାରେ କିଛି କଂଗ୍ରେସ ବିଧାୟକଙ୍କୁ ମାର୍ଶାଲ ଗେଟ୍ ବାହାରକୁ ନେଇ ଛାଡିଥିଲେ ଆଉ କିଛି ବିଧାୟକ ସସମ୍ମାନେ ଯାଇଥିଲେ।