ଭୁବନେଶ୍ୱର, ୨୮ ମାର୍ଚ୍ଚ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ଶେଷ ହୋଇଛି। ମେ’ ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏପ୍ରିଲ ୨ ରୁ ଖାତା ଦେଖା ଆରମ୍ଭ ହେବ। ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏବଂ ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ହେବ। ଖାତା ଦେଖା ପାଇଁ ୭୮ଟି ଅଫଲାଇନ୍ ଓ ୭୦ଟି ଅନଲାଇନ୍ କେନ୍ଦ୍ର ହୋଇଛି। ଖାତା ମୂଲ୍ୟାଙ୍କନ ପାଇଁ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ମୋଟ ୩୦୦ ଜଣ ବିଦ୍ୟାର୍ଥୀ କପି କରି ଧରା ପଡ଼ିଛନ୍ତି। ଅତ୍ୟଧିକ ଖରା ଯୋଗୁଁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନଥିବାରୁ ଖାତାଦେଖା କେନ୍ଦ୍ର ବଢ଼ାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ ହୋଇଛନ୍ତି। ଏକ୍ଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ଶିକ୍ଷକମାନେ ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ଟି ଖାତା ଦେଖିପାରିବେ ଶିକ୍ଷକ। ୩୫, ୪୦ ଓ ୫୦ ମାର୍କ ଥିବା ବିଷୟଗୁଡ଼ିକ ପାଇଁ ୩୦ଟି ଖାତା ୫ ଘଂଟାରେ ଦେଖିବେ ଶିକ୍ଷକ।










































