ଜଳେଶ୍ବର,୧/୩ (ହିପ୍ର) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଅଞ୍ଚଳର ୧୪ଗୋଟି ଗ୍ରାମ ପଞ୍ଚାୟତର ଅଧିକାଂଶ ଲୋକେ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକମାନେ ବସବାସ କରିଥାଆନ୍ତି। ଏଠାର ଲୋକ ମାନଙ୍କ ଜୀବନ ଜୀବିକା ସାଧାରଣତଃ ଦିନ ମଜୁରିଆ ଓ ଜଙ୍ଗଲ ଜାତିୟ ଦ୍ରବ୍ଯ ସଂଗ୍ରହ କରି ଚଳିଥାନ୍ତି । ବିସ୍ତୀର୍ଣ୍ଣ ଅଞ୍ଚଳ ପାହାଡିଆ ପଥୁରିଆ ହୋଇ ଥିବା ବେଳେ ବର୍ଷଯାକ ଶ୍ରମ ମିଳିବାରେ ଘୋର ଅସୁବିଧା ହୋଇ ଥାଏ। ଯୁବକମାନେ ଅଧାରୁ ପାଠରୁ ଡୋରି ଲଗାଇ କାର୍ଯ୍ୟ ଅନ୍ୱେଷଣ ପାଇଁ ପ୍ରବାସକୁ ଯାଉଥିବାବେଳେ ଘରେ ବୃଦ୍ଧ ବାପା,ମା ଓ ପିଲା ଛୁଆ ଆର୍ଥିକ ଅନାଟନ ଓ ଅସହାୟତା ଭୋଗୁଥାନ୍ତି। ବିଶେଷ କରି ଏହି ଅଞ୍ଚଳର ଜନଜାତି, ଉପଜାତି ନିରୀହ ସରଳ କର୍ମଠ ହୋଇ ଥିବାରୁ ସଦାବେଳେ ବଡ଼ ଲୋକଙ୍କ ଶୋଷଣର ଶିକାର ହୋଇଥାନ୍ତି। ଏହି କ୍ରମରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର କର୍ମ କର୍ତ୍ତା ବୌଦେଶିକ ପାଣ୍ଠି ସହାୟତାରେ ଧର୍ମ ପରିବର୍ତ୍ତନ ପାଇଁ ନିରୀହ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କୁ ପ୍ରବତ୍ତଉଛନ୍ତି। ଆର୍ଥିକ ଦୁର୍ବଳ ଅଞ୍ଚଳରେ ନିର୍ଦ୍ଦିଷ୍ଟ ବିଦ୍ୟାଳୟ ମାଧ୍ୟମରେ ଧାର୍ମାନୁଷ୍ଠାନ ପ୍ରତିଷ୍ଠା କରି ଆର୍ଥିକ ସହାୟତା ସହିତ ଧର୍ମ ପରିବର୍ତ୍ତନ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ସ୍ଥାନୀୟ ନେତୃବୃନ୍ଦ ଓ ଗ୍ରାମବାସୀ ସହାୟତା କରୁନଥିବା ବେଳେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ ଜରୁରୀ ସହାୟତା କରି ବିଶ୍ୱାସ ଭାଜନ ହେଉଛନ୍ତି। ଫଳରେ ଅନିଚ୍ଛା ସତ୍ତ୍ୱେ ସରଳ ଆଦିବାସୀମାନେ ସେମାନଙ୍କର ନିକଟତର ହୋଇ ଧର୍ମ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଆଦିବାସୀମାନେ ସେମାନଙ୍କର ସଂସ୍କୃତି ଓ ପରମ୍ପରା ଛାଡି ପାରୁନାହାଁନ୍ତି। ଯାହା ଫଳରେ ସରକାରୀ ଯୋଜନା ପାଇବାରେ ଓ ସାମାଜିକ ରୀତିନୀତି ପାଳନରେ ଘୋର ବିଶୃଙ୍ଖଳା ଦେଖା ଦେଇଛି। ଏହି ପ୍ରସଙ୍ଗରେ ନେଇ ଆଦିବାସୀ ସଂପ୍ରଦାୟ ଓ ନିର୍ଦିଷ୍ଟ ଗୋଷ୍ଠି ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜି ପ୍ରଶାସନ ଦ୍ଵାରା ସ୍ଥିତବସ୍ଥା ପାଳନ କରାଯାଇଥିଲା। କିନ୍ତୁ ଗତ ଗୁରୁବାର କାଳିକା ଗ୍ରାମ ପଞ୍ଚାୟତର ଦୁଧିଆଖାଳି ଅଞ୍ଚଳରେ ଧର୍ମାନ୍ତରକରଣ ହେଉଥିବା ସମୟରେ ଗ୍ରାମ ବାସୀମାନେ ତୀବ୍ର ବିରୋଧ କରୁଥିଲେ ।ସୂଚନା ପାଇ ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏ ସମସ୍ତ ବିବାଦୀୟ କାର୍ଯ୍ୟରୁ ନିବୃତ ପାଇଁ ତାଗିଦ୍ କରିଥିଲେ। ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଶାସନ ତଦନ୍ତ ନେଇ ଦୃଢ଼ ପଦକ୍ଷେପ ପାଇଁ ସାଧାରଣରେ ଦାବୀ ହେଉଛି। ।