ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ଜନିତ କୁଆପଥର ବର୍ଷାରେ ବ୍ୟାପକ ଅଂଚଳ କ୍ଷତିଗ୍ରସ୍ତ ହୋଇଥିବାବେଳେ ରବିବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଅଂଚଳ ଗସ୍ତରେ ଯାଇଥିଲେ । ବାଙ୍ଗିରିପୋଷି ବ୍ଲକ୍ ର ସୋରାସପୋଷି, ହାଣଦା, ସିଲପୁଞ୍ଜି, ମଣଦା, ମହୁଲବରେଇ ଓ ବିଶୋଇ ବ୍ଲକ୍ ର ମୂଷାମାରି, ପୁଣ୍ଡିଦା, ଖଡମବେଢ଼ା, ସାରସପଡ଼ା, କେଶରଗଡ଼ିଆ ଆଦି ସ୍ଥାନର ସ୍ଥିତି ବୁଲି ଦେଖିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦିଆଯିବ ଓ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ହିତାଧିକାରୀମାନଙ୍କୁ ମଧ୍ୟ ଅନ୍ତ୍ୟୋଦୟ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ ।

ମୟୂରଭଞ୍ଜ ଜିଲ୍ଲାର ପ୍ରଭାବିତ ଅଂଚଳର କ୍ଷୟକ୍ଷତିର ଆକଳନ ଅନୁଯାୟୀ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୯ କୋଟି ୬୫ ଲକ୍ଷ ୧୦ ହଜାର ୬୫୮ ଟଙ୍କା ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଅଂଚଳରେ ପଲିଥିନ୍ ଯୋଗାଇ ଦିଆଯାଇଥିବାବେଳେ ଆଶ୍ରୟ ସ୍ଥଳରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ମନ୍ତ୍ରୀ ଶ୍ରୀ ପୂଜାରୀ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ମିଶି ଭୋଜନ କରିବା ସହ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ଥିତିର ସମୀକ୍ଷା କରିଥିଲେ ଅସନ୍ତାକାଲି ସୁଦ୍ଧା ଗୃହ ମରାମତି, ଆବଶ୍ୟକ ଲୁଗାପଟା, ବାସନକୁସନ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଥିଲେ।
ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଂଟିଆ, ସାରସକଣା ବିଧାୟକ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାୟକ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଓ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରମୁଖ ଉପସ୍ଥିତ ଥିଲେ ।










































