ହରଭଙ୍ଗା:- ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରୁବୁଡ଼ାସ୍ଥିତ ବାବା ଗୁପ୍ତେଶ୍ୱର ଶିବ ମନ୍ଦିରଠାରେ ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ରାଜ୍ୟସ୍ତରୀୟ ସେବା ମହୋତ୍ସବ- ୨୦୨୫ ଉଦଯାପିତ ହୋଇଯାଇଛି l ଉଦଯାପନୀ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇ ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ସେବା ଧର୍ମୀ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ବଜାୟ ରଖିବା ସହ ଜନସାଧାରଣଙ୍କ ସୁଖ ଦୁଃଖର ସାଥି ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଏବଂ ଦ୍ଵିତୀୟ ସେବା ମହୋତ୍ସବ ସେବା, ଭକ୍ତି ଓ ସମର୍ପଣର ଅପୂର୍ବ ସମନ୍ୱୟ ବୋଲି ମତ ରଖିଥିଲେ l ଉଦଯାପନୀ ସନ୍ଧ୍ୟାରେ ସମ୍ମାନିତ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ବୌଦ୍ଧ ମାଟି କଳା ଓ ସଂସ୍କୃତିର ମାଟି ବୋଲି ନିଜର ଅଭିଭାଷଣ ରଖିବା ସହ ଯେଉଁ ମାଟିର କଳା ଓ ସଂସ୍କୃତି ଯେତେ ଉନ୍ନତ ସେ ମାଟି ସେତେ ସମୃଦ୍ଧ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଯୁବ ଶିଳ୍ପପତି ଅଶୋକ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ l ପୁରୁଣାକଟକ ଭୈରବୀ ସ୍ନାତକ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରମୋଦ କୁମାର ମହାପାତ୍ରଙ୍କ ଦ୍ୱାରା ଲିଖିତ “ସେବା ମହୋତ୍ସବ” ସମ୍ପର୍କିତ ସ୍ମରଣିକା ଉନ୍ମୋଚିତ ହୋଇଥିଲା l ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସମ୍ପାଦକ ଭାଗବତ ମେହେର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଯୁବ ସାମ୍ବାଦିକ ସିମୁନ ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ l ସଭା ପ୍ରାରମ୍ଭରେ ତିଲେଶ୍ୱର ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ଯୁବ ସମାଜସେବୀ ସିମୁନ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅର୍ଚ୍ଚିତା ପାଢ଼ୀ ପରିଚାଳନା କରିଥିଲେ l ସଭା କାର୍ଯ୍ୟ ପୂର୍ବରୁ ହୋଇଥିବା ସାଂସ୍କୃତିକ କାର୍ଯ୍ଯକ୍ରମରେ ବ୍ଲକର ବିଭିନ୍ନ ଗ୍ରାମର କୃଷ୍ଣଗୁରୁ ସଂକୀର୍ତ୍ତନ୍ୟ ଦଳ, ଲୋକାପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ତିଲେଶ୍ବର ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରୁଣାକଟକ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ l ସଭା କାର୍ଯ୍ଯ ପରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ, ଶିବାନୀ ମହାନ୍ତି, ଏସ ଡ଼ି ଶକ୍ତି ପ୍ରମୁଖ ଶିବ ଭଜନ ପରିବେଷଣ କରିଥିଲେ l