ବାରିପଦା, ୧୮।୧୧ (ପ୍ରଶାନ୍ତ ଦାସ ପଟ୍ଟନାୟକ): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୋଲିସ ଏବେ ଚର୍ଚ୍ଚାରେ। ଡ୍ୟୁଟିରେ ଥିବା ପୋଲିସ କନେଷ୍ଟବଳ ଦୁବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ତେବେ ଏହି ଅତର୍କିତ ଆକ୍ରମଣ ପଛରେ ବାଲି ଲୁଟେରାଙ୍କ ହାତ ରହିଥିବା ସନ୍ଦେହ ସୃଷ୍ଟି କରୁଛି। ଅନ୍ୟପଟେ ରାସଗୋବିନ୍ଦପୁର ଥାନା ଅଞ୍ଚଳ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣକାରୀଙ୍କ ପାଇଁ ଭୂ ସ୍ବର୍ଗ ପାଲଟିଛି। ପୂର୍ବରୁ ବିରୋଧ କଲେ ଗ୍ରାମବାସୀମାନେ ଧମକର ଶିକାର ହେଉଥିଲେ। ମାତ୍ର ଆଉ ଦୁଇପାଦ ଆଗକୁ ଆସି କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଯାହାକୁନେଇ ଆଲୋଚନା ହେଉଛି ଦୂର୍ବୃତ୍ତଙ୍କ ଶକ୍ତି ଆଗରେ ଫିକା ପଡ଼ିଗଲା ପୋଲିସ ଭୟ। ପୋଲିସକୁ ଭୟ କରିବା ବଦଳରେ ଆକ୍ରମଣ କରି ଛଡାଇ ନେଇଗଲେ ଜବତ ହୋଇଥିବା ଡମ୍ପର। ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଲଘୁଖଣିଜ ଚୋରା ଚାଲାଣ ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ପୋଲିସ ଏହା ଉପରେ ରୋକ ଲଗାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ମାଫିଆଙ୍କ ଦୌରାତ୍ମ୍ୟ ସୀମା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି l ଚୋରା ବାଲି ଚାଲାଣରେ ସଂପୃକ୍ତ ଥିବା ଗୋଷ୍ଠୀଙ୍କ ପୋଲିସକୁ ଖାତିର ନାହିଁ କି ଆଇନକୁ ଭୟ ନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏବେର ଘୋଷଣା ପୋଲିସକୁ ବଳ ଦେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ଗତକାଲି ରାସଗୋବିନ୍ଦପୁର ପୋଲିସ ୭ଟି ବାଲି ଡମ୍ପରକୁ ଜବତ କରିଥିବା ବେଳେ ୫ଟି ଡମ୍ପର ଥାନାକୁ ଆଣିଥିଲା ଏବଂ ବାକି ୨ଟି ଡମ୍ପର ସ୍ଥାନୀୟ ମୂଷାମାରୀଛକ ପେଟ୍ରୋଲପମ୍ପରେ ରଖିଥିଲେ l ତେବେ ରାତିରେ ଉକ୍ତ ଜବତ ୨ ଡମ୍ପରକୁ ଜଣେ କନେଷ୍ଟବଳ ଜଗି ରହିଥିବା ବେଳେ ରାତି ପ୍ରାୟ ୯ଟା ୩୦ମିନିଟ ସମୟରେ ଏକ କାରରେ କିଛି ଲୋକ ଆସି କନେଷ୍ଟବଳଙ୍କୁ ଆକ୍ରମଣ କରି ସେଠାରୁ ଉକ୍ତ ଜବତ ୨ ଡମ୍ପରକୁ ସେଠାରୁ ନେଇ ପଳାଇଥିଲେ l ଖବରପାଇ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ନିଜ ଟିମ ସହିତ ଉକ୍ତ ୨ ଡମ୍ପରକୁ ଗୋଡ଼ାଇ ଗୋଡ଼ାଇ ବାଛୁରୀପାଳ ଛକ ନିକଟରେ ଉଦ୍ଧାର କରି କ୍ରେନ ସାହାଯ୍ୟରେ ପୁଣି ଥାନାକୁ ଆଣିଥିଲେ l ମାତ୍ର ଘଟଣାସ୍ଥଳରୁ ଏସକୋର୍ଟ ଦେଉଥିବା କାର ସହ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ l ଅଧିକାରୀଙ୍କୁ ଚାଲେଞ୍ଚ ଦେଉଥିବା ମାଫିଆମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଡାଉଜାରୀ ରହିଥିବା ଜଣାପଡିଛି। ତେବେ ଏଠି ପ୍ରଶ୍ନ ଉଠୁଛି କାହା ଛତ୍ରଛାୟା ତଳେ ରହି ବାଲି ମାଫିଆମାନେ ଗୁଣ୍ଡାଗର୍ଦ୍ଦି ଚଳାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେବାସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ତେବେ ଥାନାରେ ଜବତ ହୋଇଥିବା ୫ ଟି ବାଲି ଡମ୍ପର ଗୁଡିକ ମାଇନିଙ୍ଗ ବିଭାଗ ଦ୍ଵାରା ଫାଇନ କଟାଯିବା ପରେ ଛାଡି ଦିଆଯାଇଛି।ସେହିପରି।ଏହି ଚୋର ପୋଲିସ ଛକାପଞ୍ଝା ଖେଳରେ କିଏ କାହାକୁ ମାତ୍ ଦେଉଛି ନା ଅଦୃଶ୍ୟ ଚାପରେ ଚୁପ୍ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।










































