ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ। ରୋମାଣ୍ଟିକ୍ କମେଡି ଫିଲ୍ମ ‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏବେ ଏହି ଫିଲ୍ମର ନୂତନ ରିଲିଜ ଡେଟ୍ସାମ୍ନାକୁ ଆସିଛି। ପୂର୍ବରୁ ଏହି ଫିଲ୍ମ ଏପ୍ରିଲ ୧୮ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ତେବେ କୌଣସି କାରଣବଶତଃ ଏହି ରିଲିଜ୍ ତାରିଖକୁ ୩ ମାସ ଯାଏ ଘୁଞ୍ଚାଯାଇଛି। ଆସନ୍ତା ସେପ୍େଟମ୍ବର ୧୨ରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫିଲ୍ମ ନିର୍ମାତା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶଶାଙ୍କ ଖେତନ।
‘ସନି ସଂସ୍କାରୀ କି ତୁଲସୀ କୁମାରୀ’ରେ ଦ୍ୱିତୀୟଥର ପାଇଁ ବରୁଣ ଏବଂ ଜାହ୍ନବୀଙ୍କ କେମେଷ୍ଟ୍ରିକୁ ଦେଖିବାକୁ ମିଳିବ। ପୂର୍ବରୁ ୨୦୨୩ରେ ରିଲିଜ୍ ହୋଇଥିବା ରୋମାଣ୍ଟିକ୍ ଆକ୍ସନ ଫିଲ୍ମ ‘ବୱାଲ’ରେ ଉଭୟ ବରୁଣ ଓ ଜାହ୍ନବୀଙ୍କ ଯୋଡ଼ିକୁ ଏକାଠି ଦେଖିବାକୁ ମିଳିଥିଲା। ଉକ୍ତ ଫିଲ୍ମ ଓଟିଟି ପ୍ଲାଟ୍ଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହୋଇଥିଲା। ‘ସନି ସଂସ୍କାରୀ କି ତୁଲସୀ କୁମାରୀ’ ଫିଲ୍ମରେ ବରୁଣ ଓ ଜାହ୍ନବୀଙ୍କ ବ୍ୟତୀତ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା, ଅଭିନେତା ମନୀଷ ପଲ, ରୋହିତ ସରାଫ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ। ଆଗାମୀ ଦିନରେ ବରୁଣ ‘ବର୍ଡର ୨’ ଏବଂ ‘ଭେଡିୟା ୨’ ଫିଲ୍ମରେ ନଜରକୁ ଆସିବେ। ସେହିପରି ଜାହ୍ନବୀ ଆଗାମୀ ଦିନରେ ଅଭିନେତା ସିଦ୍ଧାର୍ଥ ମାଲ୍ହୋତ୍ରାଙ୍କ ସହ ‘ପରମ ସୁନ୍ଦରୀ’ ଓ ସାଉଥ୍ ଷ୍ଟାର୍ ରାମଚରଣଙ୍କ ସହ ‘ଆର୍ସି ୧୬’ ଫିଲ୍ମରେ ନଜରକୁ ଆସିବେ।