ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରୁ ସୃଷ୍ଟି ହୋଇଥିବାରୁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଜଡିତ ନୁହେଁ। ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି। ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ‘ଯୋଗ’, ଯାହା କେବଳ ଦେଶ ଭିତରେ ସୀମିତ ହୋଇ ରହିଥିଲା। କିନ୍ତୁ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ୨୦୧୪ ମେ’ ମାସରେ ଦାୟିତ୍ଵ ଗ୍ରହଣ କରିବାର ମାତ୍ର ଛ’ ମାସରେ ଯୋଗକୁ ସାରା ବିଶ୍ଵରେ ପରିଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲା। ଆଜି ପୃଥିବୀର ପ୍ରାୟ ସବୁ ଦେଶରେ ଲୋକେ ଆଗ୍ରହ ଏବଂ ଉତ୍ସାହର ସହିତ ଏହାକୁ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
୨୦୧୫ରୁ ସାରା ବିଶ୍ୱରେ ଯୋଗ ଦିବସ ଆରମ୍ଭ ହୋଇଥିଲା । ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଯୋଗ ଦିବସ ପାଳନ ହେଉଛି । ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ସାରା ବିଶ୍ୱକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହାପରେ ମାତ୍ର ତିନି ମାସ ମଧ୍ୟରେ ୧୭୫ ଦେଶର ସମର୍ଥନ ସହ ଜୁନ୍ ୨୧ ତାରିଖରୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଆସୁଛି । ୨୦୧୫ ମସିହା ଜୁନ୍ ୨୪ ତାରିଖରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଆସୁଛି । ଯାହା ଆଜି ୧୧ ବର୍ଷରେ ପାଦ ଥାପିଛି ।
ଏଥିରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ନେତା ମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ବହୁ ପ୍ରଶାସନିକ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗ କରିଥିଲେ ।