ହରଭଙ୍ଗା (ସର୍ବେଶ୍ୱର କ୍ଷେତି): ହରଭଙ୍ଗା ତହସିଲ ଅନ୍ତର୍ଗତ ଭେଜିଗୋରା ଗ୍ରାମର ବିଭିନ୍ନ ସ୍ଥାନରେ ଥିବା ବେଆଇନ ବାଲି ଡିପୋରୁ ବାଲି ଚୋରା ଚାଲାଣ ହେଉଥିବା ଖବର ସାମ୍ନାକୁ ଆସିଛି l ବେଆଇନ ବାଲି ଗଦାଗୁଡିକ କୃତ୍ରିମ ପାହାଡ଼ର ଭ୍ରମ ସୃଷ୍ଟି କରୁଥିବା ବେଳେ ଚଢ଼ା ଦରରେ ବାଲି ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ହେଉଛି l ବାଲି ମାଫିଆଙ୍କ ଚାନ୍ଦା ପାଖରେ ବିଭାଗୀୟ ଅଧିକାରୀଙ୍କ ସ୍ୱାଭିମାନ ବନ୍ଧା ପଡ଼ିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି l ଖଣି ବିଭାଗ ଏବଂ ପୋଲିସ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ସବୁକିଛି ଜାଣି ସୁଦ୍ଧା ନିରବ ଦ୍ରଷ୍ଟା ସାଜିଥିବା ବେଳେ ବିରାଟ ବଳେ କିଚକ ରାଜା ଭଳି ବାଲି ମାଫିଆମାନେ ନେତାଙ୍କ ବଳରେ ବଳିଆନ ଭଳି ମନେ ହେଉଛି l ବେଆଇନ ବାଲି ଡିପୋ ଉପରେ ଚଢ଼ାଉ କରାଯାଉ ନଥିବା ଘଟଣା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱଚ୍ଛତା ତଥା ଉତ୍ତରଦାୟିତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି?ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଲଘୁ ଖଣିଜ ନିୟମର ଧଜିଆ ଉଡାଉଥିବା ବାଲି ମାଫିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି l










































