ନୟାଗଡ଼ : (ପ୍ରଭାସିନୀ ନନ୍ଦ)ନୟାଗଡ଼ ବ୍ଲକର ବାଲୁଗାଁ ପଞ୍ଚାୟତ ଅନ୍ତର୍ଗତ ଖେଡାପଡା ଗାଁ ନିକଟରେ ଭାପୁରରୁ ରଣପୁର ଯାଉଥିବା ଏକ ବସ୍ ଭୟାବହ ଦୁର୍ଘଟଣାରେ ପଡ଼ିଛି। ସୂଚନା ଅନୁସାରେ, ଘଟଣା ସମୟରେ ବସ୍ରେ ପ୍ରାୟ 50 ଜଣ ଯାତ୍ରୀ ଥିଲେ। ହଠାତ୍ ନିୟନ୍ତ୍ରଣ ହରାଇ ବସ୍ଟି ରାସ୍ତା ପାଖକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏଥିରେ କମ୍ ସେ କମ୍ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ 20 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ଘଟଣା ପରେ ସ୍ଥାନୀୟ ଖେଡାପଡା, ପାଣିପୋଇଲା ଓ ବାଲୁଗାଁ ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ବସ୍ରୁ ବାହାର କରିବା ସହ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପରେ ଦମକଳ ବିଭାଗ ଓ ଆମ୍ବୁଲାନ୍ସ ସେବା ସୂଚନା ପାଇ ସ୍ଥଳକୁ ପହଞ୍ଚି ତୁରନ୍ତ ସହଯୋଗ କରିଥିଲେ। ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଦୁର୍ଘଟଣାର ସଠିକ୍ କାରଣ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକମାନଙ୍କ ତ୍ୱରିତ ପଦକ୍ଷେପ ଦ୍ୱାରା ବଡ଼ ଅପମୃତ୍ୟୁ ଟଳିଥିବା କୁହାଯାଉଛି।










































