ଭୁବନେଶ୍ୱର, (ପ୍ରଦ୍ୟୁମ୍ନ ଦାଶ): ରାଜ୍ୟରେ ସମସ୍ତ ଶିଶୁଙ୍କର ପୁଷ୍ଟି ସାଧନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଶିଶୁମାନଙ୍କୁ ପୋଷଣଯୁକ୍ତ କରାଇବା ପାଇଁ ସୁପୋଷିତ ଓଡ଼ିଶା ମିଶନ ଲୋକାର୍ପିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏହି ମିଶନର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ପୁଷ୍ଟି ମିଶନ ଅଧୀନରେ ସୁପୋଷିତ ଓଡ଼ିଶା ମିଶନ ରାଜ୍ୟରେ ଶିଶୁମାନଙ୍କୁ କୁପୋଷଣରୁ ରୋକିବା ସହିତ ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି । ଏହି ମିଶନ ଦ୍ୱାରା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସୁପୋଷିତ କେନ୍ଦ୍ରରେ ପରିଣତ କରାଯିବାର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି । କମ୍ ଓଜନ ଓ ଦୁର୍ବଳ ଶିଶୁଙ୍କ ପାଇଁ ଉପଯୁକ୍ତ ଯତ୍ନ ନିଆଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏତଦ୍ବ୍ୟତୀତ ବିଭାଗ ଦ୍ୱାରା ସମୀକ୍ଷା ଓ ତଦାରଖ ଡ୍ୟାସ୍ବୋର୍ଡ ପ୍ରଚଳନ କରାଯାଇଛି । ଏହା ଦ୍ୱାରା ପୋଷଣ ଟ୍ରାକର ତଥ୍ୟକୁ ତୁରନ୍ତ ସମୀକ୍ଷା କରାଯିବ । ଏହା ଦ୍ୱାରା ବାସ୍ତବିକ ବ୍ୟବଧାନକୁ ଚିହ୍ନଟ କରି ସମୁଚିତ ପଦକ୍ଷେପ ଗ୍ରହଣ କରାଯିବ । ଏଥି ସହିତ ଉନ୍ନତ ପୁଷ୍ଟି ଫଳାଫଳ ନିମନ୍ତେ ଆନ୍ତଃବିଭାଗୀୟ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ପରାମର୍ଶ ଜାରି କରାଯିବ । ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚି ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, କ୍ରୀଡ଼ା ଓ ଯୁବସେବା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିତ ଭାବରେ ଏକ ଏକକୀକୃତ ସେବା ପ୍ରଦାନ ମଡେଲ ପ୍ରସ୍ତୁତ କରି ହିତାଧିକାରୀଙ୍କ ରକ୍ତହୀନତା, ଗେଡ଼ାପଣ, କ୍ଷୀଣକାୟ ଅବସ୍ଥା ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ଏହା ଦ୍ୱାରା ରାଜ୍ୟରେ ଶିଶୁମାନଙ୍କର ପୁଷ୍ଟିସାଧନରେ ସମୁଚିତ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ।
ସେହିଭଳି ଓଡ଼ିଶାର ବିଭିନ୍ନ ସ୍ଥାନର ଖାଦ୍ୟକୁ ନେଇ ଏକ ରୋଷେଇ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଛି । ଏଥିରେ ଶହେ ପ୍ରକାରର ବ୍ୟଞ୍ଜନ ସ୍ଥାନ ପାଇଛି । ରାଜ୍ୟର ପ୍ରତ୍ୟେକ ଖାଦ୍ୟରେ ଭରି ରହିଛି ସ୍ୱତନ୍ତ୍ର ପରମ୍ପରା । ଗୋଟିଏ ସ୍ଥାନର ଖାଦ୍ୟକୁ ଅନ୍ୟ ସ୍ଥାନରେ ବାସ କରୁଥିବା ଜନସାଧାରଣଙ୍କ ନିକଟରେ ଏହା ପହଞ୍ଚାଇ ପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏତଦ୍ବ୍ୟତୀତ ଓଡ଼ିଶାରେ ପୋଷଣର ପରିଦୃଶ୍ୟ ଉପରେ ଏକ କଫିଟେବୁଲ୍ ବୁକ୍କୁ ମଧ୍ୟ ସେ ଉନ୍ମୋଚିତ କରିଛନ୍ତି । ଏହା ସମସ୍ତଙ୍କ ନିକଟରେ ଉପଲବ୍ଧ ହେବା ଦ୍ୱାରା ସମସ୍ତ ଅଙ୍ଗନବାଡ଼ି କର୍ମୀ, ପାଚିକା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ସଦସ୍ୟା, ମା’ ଏବଂ କିଶୋରୀମାନେ ମଧ୍ୟ ଖାଦ୍ୟ ଗୁଣବତ୍ତାସଂପନ୍ନ ପ୍ରସ୍ତୁତ ପ୍ରଣାଳୀକୁ ଅନୁସରଣ କରିପାରିବେ । ଏତଦ୍ବ୍ୟତୀତ ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଓ ଶିଶୁମାନଙ୍କ ଜୀବନକୁ ପ୍ରାଧାନ୍ୟ ଦେଇ ସ୍ୱତନ୍ତ୍ର ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯିବ । ଅଗ୍ନିଜନିତ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବାଲିବସ୍ତା ଓ ଅଗ୍ନିନିର୍ବାପକ କମଳ ଭଳି ସରଞ୍ଜାମ ରଖାଯିବ । ସେହିଭଳି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଏକ ସିଲାଇ ୟୁନିଟ୍ର ମଧ୍ୟ ଲୋକାର୍ପଣ ହୋଇଛି । ଏହା ଦ୍ୱାରା ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନଙ୍କୁ ବ୍ୟବହାରିକ ଜ୍ଞାନ, ଆୟବୃଦ୍ଧି ନିମନ୍ତେ ଦକ୍ଷତା ବିକାଶ ପ୍ରଦାନ କରିବ ।
ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସମ୍ୱନ୍ୱିତ ଶିଶୁ ବିକାଶ ସେବା ନିର୍ଦ୍ଦେଶିକା ଶ୍ରୀମତୀ ମନୀଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି, ନିଲୁ ମହାପାତ୍ର, ଅନନ୍ତ ନାରାୟଣ ସିଂ ଲାଗୁରି ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।










































