ହରଭଙ୍ଗା, ୧୯/୧୧(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକସ୍ଥିତ ମିନି ଷ୍ଟାଡିଅମଠାରେ ମହୋତ୍ସବ କମିଟି ସଭାପତି ଅଶୋକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ୫ମ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀମେଳା- ୨୦୨୫ ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦ୍ଵିତୀୟ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା, ପୁରୁଣାକଟକ ଥାନା ଅଧିକାରୀ ଅରୁଣ କୁମାର ସିଂ ପ୍ରମୁଖ ମଞ୍ଚାସିନ ଥିଲେ l ମହୋତ୍ସବ କମିଟିର କୋଷାଧ୍ୟକ୍ଷ କୈଳାଶ ଅଗ୍ରୱାଲ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସସ୍ମିତା ପରମଗୁରୁ ମଞ୍ଚ ପରିଚାଳନା କରିଥିଲେ l
ପୁରୁଣାକଟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ସଭା କାର୍ଯ୍ୟ ପୂର୍ବରୁ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ରାମଗଡ଼ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ରିମିକ୍ସ, ପୁରୁଣାକଟକ ଉଚ୍ଚ ବିଦ୍ୟାଳୟର ପଢ଼ିବୁରେ ପଢ଼ିବୁ ପରୀ, ଲୁଣିବାହାଲ ଉଚ୍ଚ ବିଦ୍ୟାଳୟର ଭୈରବୀ ଭଜନ, ହରେକୃଷ୍ଣପୁର ଉଚ୍ଚ ବିଦ୍ୟାଳୟର ଭାଇଜିଉଁତିଆ, ଶାକୁସିଙ୍ଗା ୟୁ.ପି ସ୍କୁଲ, ଛତ୍ରଙ୍ଗ ୟୁ.ପି ସ୍କୁଲ, ଲୁଣିବାହାଲ ୟୁ.ପି ସ୍କୁଲ ଏବଂ ପୁରୁଣାକଟକ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ ଏବଂ ସଭା କାର୍ଯ୍ଯ ପରେ କଣ୍ଟାମାଳର ବଉଳି କଳା ପରିଷଦ ନୃତ୍ୟ ପରିବେଷଣ କରିଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ଟୁକୁନା ଷ୍ଟାଇଲିସ ଏବଂ ଲିପ୍ସା ମହାରଣା କମେଡ଼ି ସହ ବିଭିନ୍ନ ଅଭିନେତାଙ୍କ ମିମିକ୍ରି ପରିବେଷଣ କରିଥିଲେ l










































