ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସମ୍ୱଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହିତ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଠକରେ ମଣ୍ଡି ଭିତ୍ତିଭୂମି, ଟୋକନ ପ୍ରଦାନ, ମିଲର୍ମାନଙ୍କ ଧାନ ଉଠାଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ସରକାରଙ୍କ ପ୍ରକ୍ରିୟା ଜାରି ରହିଛି । ଚାଷୀମାନଙ୍କ ଯେପରି କୌଣସି ଅସୁବିଧା ହେବ ନାହିଁ ଏବଂ ମିଲର୍ମାନେ ଠିକ୍ ସମୟରେ ଧାନ ଉଠେଇବେ, ତା’ଉପରେ ସ୍ୱତନ୍ତ୍ର ଫୋକସ ରଖା ଯାଇଛି । ଚାଷୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଚାଷୀମାନଙ୍କର ଯାହାକିଛି ସମସ୍ୟା ରହିଛି, ତାହା ନିଶ୍ଚିତ ଦୂର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ସଚିବ ଶ୍ରୀ ସଞ୍ଜୟ ସିଂହ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ସମ୍ୱଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଏବଂ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତିଆ ପ୍ରମୁଖ ଆଲୋଚନା କରିଥିଲେ ।










































