କଟକ, ତା୨୮ା୦୨ : କଟକ ସଦର ବ୍ଲକ ସପ୍ତମ ପଚାଂୟତ ସମିତି ବୈଠକରେ ଆରମ୍ଭରୁ ଦେଖିବାକୁ ମିଳିଥିଲା ହୋହାଲ୍ଲା । କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ ସଭାରେ ୨୪ ବର୍ଷ ପୂର୍ବର ବିଜେଡି ସରକାର ଯାହା କରିନଥିଲା ତାହା ଆମର ଡବଲ ଇଂଜିନ ସରକାର କରୁଛି ବୋଲି ବାରମ୍ବାର କହୁଥିବା ବେଳେ ଉରାଳି ପଂଚାୟତର ବିଜେଡି ସରପଂଚ ଅଭିଷେକ ବେହେରା ଏହାର ଦୃଢ଼ ପ୍ରତିବାଦ କରିଥିଲେ । ଏହାକୁ ନେଇ ଉଭୟେଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାଫଳରେ ସଭାଗୃହ ବହୁସମୟ ଧରି ସରଗରମ ରହିଥିଲା । ଏତଦବ୍ୟତୀତ ଗତିରାଉତପାଟଣାର ସରପଂଚ ସୋନାଲି ପ୍ରଧାନ ବିଧାୟକଙ୍କୁ ଅଭିଯୋଗ କରିଥିଲେ ଯେ, ଆମ ପଂଚାୟତକୁ କହିଁକି ବ୍ଳକର ଯନ୍ତ୍ରୀମାନେ ଯାଉନାହାଁନ୍ତି । ଉତରରେ, ଯନ୍ତ୍ରୀମାନେ ଏହି ପଂଚାୟତକୁ ଯିବା ପାଇଁ ବୋଧେ ଡରୁଛନ୍ତି ସେଥିପାଇଁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ବିଧାୟକ କହିଥିଲେ ।
ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ଅଧ୍ୟକ୍ଷତାରେ ସମିତି ସଭାଗୃହରେ ସପ୍ତମ ପଂଚାୟତ ସମତି ବୈଠକରେ କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ବିଡିଓ ପ୍ରତୀକ ସାହୁ, ଏବିଡିଓ ଗିରିଜା ଶଙ୍କର ବାରିକ, ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭସ୍ମିତା ନାଥ, ଜିପିଓ ପ୍ରଜ୍ଞା ପାରମିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ୨୩ ଗୋଟି ପଂଚାୟତର ସରପଂଚ ଓ ସମିତିସଭ୍ୟ ମାନେ ସେମାନଙ୍କ ପଂଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେଥିମଧ୍ୟରେ ପଂଚାୟତରେ ହାଇମାସ୍କ ଲାଇଟ ସ୍ଥାପନ, ବେଂଟକାରରେ ସ୍ଥାୟୀ ପିଣ୍ଡି ହାଟ ନିର୍ମାଣ, ପଂଚାୟତର ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ ପାଇଁ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ସଦର ବ୍ଲକ ପରିସରରେ ଶୌଚାଳୟଟିଏ ନଥିବାରୁ ବିଭିନ୍ନ ପଚାଂୟତର ଜନପ୍ରତିନିଧି ଓ ଅନ୍ୟାନ୍ୟ କର୍ମକର୍ତାମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବା ଆଦି ବିଭିନ୍ନ ଘଟଣାକୁ ନେଇ ସ୍ୱର ଉଠାଇଥିବା ବେଳେ ଖୁବଶୀଘ୍ର ଏସବୁର ସମାଧାନ କରାଯିବ ଏବଂ ୪୨ ମୌଜାରେ ଶୀତଳ ଭଣ୍ଡାର ନିର୍ମାଣ ସହ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ମାଧ୍ୟମରେ ଗ୍ରାମାଚଂଳର ଲୋକେ ସହରାଚଂଳ ଭଳି ସମସ୍ତ ସୁବଧା ପାଇପାରିବେ ବୋଲି କଟକ ସଦର ବିଧାୟକ ଇଂ ସେଠୀ ସୂଚନା ଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ଜଙ୍ଗଲ, ବିଦ୍ୟୁତ, ପୋଲିସ, କୃଷି ବିଭାଗର ଅଧିକାରୀଙ୍କ ସମେତ ସଦର ବ୍ଲକର ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।