ଯାଜପୁର ମାଲକାନଗିରି ଘଟଣାର ପୁନରାବୃତ୍ତି ଗତ ୨୫ ତାରିଖରେ ପ୍ରସବ କରିଥିଲେ ଜଣେ ଦଶମ ଶ୍ରେଣୀ ଛାତ୍ରୀ। ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଦଶମ ବୋର୍ଡ ପରୀକ୍ଷା ଚାଲୁଥିବା ବେଳେ ଛାତ୍ରୀଙ୍କ ଏଭଳି ମା’ ହେବା ଘଟଣାକୁ ସହଜରେ ଗ୍ରହଣ କରି ପାରିନଥିଲେ ପରିବାର ଲୋକେ। ଏହି ଘଟଣାରେ ଅବଶ୍ୟ ମୁଖ୍ୟ ଅଭିଯୁକ୍ତକୁ ଆଜି ଗିରଫ କରିଛି ମାଲକାନଗିରି ପୋଲିସ। ତେବେ ମାଲକାନଗିରି ଘଟଣାର ପୁନରାବୃତ୍ତି ଘଟିଛି ଯାଜପୁର ଜିଲ୍ଲାରେ। ଯାଜପୁର ଜିଲ୍ଲାର ବରୀର ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପିଲା ଜନ୍ମ କରିଛନ୍ତି। ପୂର୍ବରୁ ଦୁଇଟି ବିଷୟରେ ପରୀକ୍ଷା ଦେଇଥିବା ବେଳେ ବୁଧବାର ଜାଗର ଉପବାସ କରିଥିଲେ। ଯାହା ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ତାଙ୍କୁ ବରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ହେଲେ, ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ମାଆ ଓ ଶିଶୁଙ୍କୁ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନାବାଳିକା ଛାତ୍ରୀ ଜଣକ ଘରୁ ରହି ସ୍କୁଲ ଯିବା ଆସିବା କରୁଥିବା ବେଳେ କିପରି ତାଙ୍କ ପରିବାର ଲୋକେ ଓ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।