ରାଜନଗର, ୯/୩ (ହିପ୍ର) : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ରିଡେଲ୍ଙ୍କ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାଜାରି ରହିଛି। ଚଳିତ ମାସ ୮ ତାରିଖ ଶନିବାର ସକାଳ ସୁଦଧା ୨ ଲକ୍ଷ ୪୧ ହଜାର ୨୬୦ ମା’ କଇଁଛ ଅଣ୍ଡାଦାନ କରିଛନ୍ତି। ନାଶୀ-୧ରେ ୧ ଲକ୍ଷ ୬୯ ହଜାର ୩୪୮ ସମୂହ ଅଣ୍ଡାଦାନ କରିଥିବାବେଳେ, ନାଶୀ-୨ରେ ୭୧ ହଜାର ୯୧୨ ମା’ କଇଁଛ ସୂହ ଅଣ୍ଡାଦାନରେ ସାମିଲ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି। ସୂଚନା ଥାଉକି ମାର୍ଚ୍ଚ ୫ ତାରିଖ ଦିନ ସମୂହ ଅଣ୍ଡାଦାନ ଆରମ୍ଭ ହୋଇଥିଲା। ସେହିଦିନ ୭୮ ହଜାର ୭୪୩ ମା’ କଇଁଛ ସମୂହ ଅଣ୍ଡାଦାନରେ ସାମିଲ ହୋଇଥିଲେ। ୬ ତାରିଖ ସନ୍ଧ୍ୟାରୁ ୭ ତାରିଖ ସକାଳ ସୁଦ୍ଧା ୧ ଲକ୍ଷ ୧୪ ହଜାର ୨ଟି ମା’ କଇଁଛ ସମୂହ ଅଣ୍ଡା ଦାନ କରିଥିବା ବନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଥିଲା। ସମୂହ ଅଣ୍ଡାଦାନର ୩ଦିନରେ ମୋଟ ୪ଲକ୍ଷ ୩୪ ହଜାର ୫ ଟି ମା’ କଇଁଛ ଅଣ୍ଡାଦାନ କରିଛନ୍ତି। ସାଧାରଣତଃ ମା’ କଇଁଛ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ମଧ୍ୟରେ ସମୁଦ୍ର ନୀଳ ଜଳରାଶୀରୁ ବାହାରି ବାଲିରେ ଦେଢଫୁଟ୍ ଗଭୀରର ଗାତ ଖୋଳିଅଣ୍ଡା ଦେଇଥାଏ। ଅଣ୍ଡାଦେଇ ସାରିବାପରେ ବାଲିକୁ ଘୋଡ଼ାଇ ଦେଇ ସମୂଦ୍ରକୁ ଚାଲିଯାଇଥାଏ। ନାଶୀ- ୨ରେ ଅଧିକ ପରିମାଣର ଅଣ୍ଡାଦାନ ଜାରି ରହିଛି। ଚଳିତବର୍ଷ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲିଥିବା ପୂର୍ବରୁ ୩୭ ହେକ୍ଟର ଆୟତନ ଥିବା ବେଳେ ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସମୂଦ୍ର ଗ୍ରାସ କରିଯିବାରୁ ଆଉ ମାତ୍ର ୧୪ ହେକ୍ଟର ରହିଛି। ଯାହା ଫଳରେ ସ୍ଥାନ ଅଭାବରୁ ଗୋଟିଏ ମା’ କଇଁଛ ଅଣ୍ଡାଦେଇ ବାଲିକୁ ଘୋଡ଼ାଇ ଦେଇ ଚାଲିଯିବା ପରେ ଅନ୍ୟ ଗୋଟିଏ ମା’ କଇଁଛ ସେହି ସ୍ଥାନରେ ଗାତଖୋଳି ଅଣ୍ଡା ଦେଉଥିବାରୁ ବହୁ ଅଣ୍ଡା ନଷ୍ଟ ହୋଇଯିବ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ରାଜନଗରରୁ କ୍ଷୀରୋଦ ପ୍ରସାଦ ପ୍ରଧାନଙ୍କ ରିପୋର୍ଟ।