ଭୁବନେଶ୍ୱର, ୧୧ ମାର୍ଚ୍ଚ – ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି। ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ। ଏହି ବିଷୟ ଉପରେ ବିଚାର କରିବା ପରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେବେ ଶ୍ରୀ ବାହିନୀପତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୃହର ୱେଲରେ ଧାରଣା ଦେଇଥିଲେ।
ଅପରପକ୍ଷରେ ନିଲମ୍ବନ ପ୍ରତିବାଦରେ କଂଗ୍ରେସ ବିଧାୟକମାନେ କଳା ପଟି ପିନ୍ଧି ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଛନ୍ତି। ରାତି ସାରା ଗାନ୍ଧୀ ମୂର୍ତି ତଳେ ଧାରଣା ଦିଆଯିବ। ବାଚସ୍ପତି ଏକ ପାଖିଆ ନିଷ୍ପତି ନେଇଛନ୍ତି ବୋଲି ତାରା କହିଛନ୍ତି। ନିଷ୍ପତି ପ୍ରତ୍ୟାହାର ସହ କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ କରିଥିବା ବିଜେପି ବିଧାୟକଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ତାରା ବାହିନୀପତି। ଏହାପରେ ପିସିସି ସଭାପତି ଭକ୍ତ ଚରଣ ଦାସ ବିଧାନସଭା ରେ ପହଂଚି ନିଜ ଦଳର ବିଧାୟକମାନଙ୍କ ଗାନ୍ଧୀମୂର୍ତି ନିକଟରେ ଭେଟିଛନ୍ତି।
ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସେମାନଙ୍କ ଦଳ ନିଲମ୍ବନ ପ୍ରତ୍ୟାହାର ଦାବି କରୁଛି। ସେମାନେ ଆସନ୍ତାକାଲି ବାଚସ୍ପତିଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର କରି ଗୃହକୁ ନିରପେକ୍ଷ ଭାବରେ ଚଳାଇବା ପାଇଁ ଅପିଲ କରିବେ।
ବିଜେପି ବିଧାୟକ ଇରାଶିଷ ଆଚାର୍ଯ କହିଛନ୍ତି େଯେ ସଂସଦୀୟ ଗଣତନ୍ତ୍ର ଅନୁଯାୟୀ ଯାହା ନିଷ୍ପତି ନିଆଯାଇଛି ତାହା ଫୁଲ ଆଣ୍ଡ ଫାଇନାଲ। ତାକୁ ମାନିବାକୁ ପଡିବ।ଯେଉଁ ବିଧାୟକ ନିଷ୍ପତି ଉପରେ ପ୍ରଶ୍ନ ଉଠାଉଛନ୍ତି ସେ ନିଜକୁ ନିଜେ ତର୍ଜମା କରନ୍ତୁ। ମହିଳା ବାଚସ୍ପତି ପ୍ରତି କଣ ଆଚରଣ ଉଚ୍ଚରଣ ପ୍ରଦର୍ଶନ କରିଛନ୍ତି।
ସୋମବାର ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ମଙ୍ଗଳବାର ଦିନ ମଧ୍ୟ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ ତାରା।