କଟକ, ତା୦୭।୦୫ : ସିଏମସି ୫୨ନଂ ୱାର୍ଡରେ ଦୀର୍ଘଦିନ ଚାଲିଥିବା ନିର୍ମାଣଧୀନ ଡ୍ରେନ କାର୍ଯ୍ୟକୁ ନେଇ ଉଠିଛି ବିବାଦ । ପୁରୁଣା ଡ୍ରେନରୁ ବାହାରୁଥିବା ଇଟା, ମାଟି ଓ ଗୋଡି ରାସ୍ତା ଉପରେ ଗଦା ହେଉଛି । ସେହିପରି କାମ ସ୍ଥାନରେ ଫଳକ ନଲାଗିବା ଓ ନିମ୍ନମାନର ଲୁହା ରଡରେ କାମ ହେଉଥିବା ତଥା କାମ ସ୍ଥାନରେ ସଂପୃକ୍ତ ୱାର୍ଡର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନରହିବା ଯୋଗୁଁ କାମରେ ବିଳମ୍ବ ହେଉଥିବାର ଅଭିଯୋଗ କରିଛନ୍ତି ୱାର୍ଡବାସୀ ।
ସୂଚନାସାରେ, ମହାନଗର ନିଗମ ୫୨ନଂ ୱାର୍ଡ ଅନ୍ତର୍ଗତ ରାଜେନ୍ଦ୍ରନଗର ସ୍ଥିତ ଡେଲ୍ଟା ହାଉସ ଠାରୁ ଗଣେଶ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଡ୍ରେନ କାମ ଚାଲୁରହିଛି । ଏହି ଡ୍ରେନ କାମ ପ୍ରାୟ ୧୫ ଦିନ ତଳୁ ଆରମ୍ଭ ହୋଇଥିଲା ବେଳେ କାମର ଅଟକଳ ମୂଲ୍ୟ ୨୩ ଲକ୍ଷ ଟଙ୍କା ରହିଛି । ପୁରୁଣା ଇଟାର ଡ୍ରେନକୁ ଭାଙ୍ଗି ସେଥିରୁ ବାହାରିଥିବା ଭଙ୍ଗା ଇଟା ପଥର ଓ ପଙ୍କକୁ ଠିକାଦାର ରାସ୍ତାରେ ଗଦା କରି ଦୀର୍ଘଦିନ ଧରି ରଖିଛନ୍ତି । ଫଳରେ ଏହି ସଂକୀର୍ଣ୍ଣ ରାସ୍ତାରେ ୱାର୍ଡବାସୀଙ୍କର ଯିବା ଆସିବାରେ ନାନା ଅସୁବିଧା ସୃଷ୍ଟି ହେଉଛି । ସେହିପରି କାମରେ ଲାଗୁଥିବା ଲୁହା ରଡ ନିମ୍ନମାନର ହେବା ସହିତ ଲୋକାଲ ମାଲ ବୋଲି ଅଭିଯୋଗ ହେଉଛି । କାମ ସ୍ଥାନରେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ନ ରହିବା ଓ ଫଳକ ନଲାଗିବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ଏହି କାମ ସିଏମସିର ପୂର୍ବତନ କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ନାରାୟଣ ମିଶ୍ରଙ୍କ ସମୟରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ୍ ତାଙ୍କର ବଦଳି ହୋଇଥିଲେ ମଧ୍ୟ ସେ ଏହି କାମର ତଦାରଖ କରୁଛନ୍ତି । ଅପରପକ୍ଷରେ ଏହି ୱାର୍ଡ ରେ ନିଯୁକ୍ତ ହୋଇଥିବା କନିଷ୍ଠ ଯନ୍ତ୍ରୀ ଗୀତାରାଣୀ ସାହୁଙ୍କୁ ଏହି କାମର ନଥିପତ୍ର ହସ୍ତାନ୍ତର କରାଯାଉ ନାହିଁ । ଏ ଦିଗରେ କିଛି ଚକ୍ରାନ୍ତ ଥିବାର ଜଣାଯାଉଛି । ତେଣୁ ତୁରନ୍ତ ଏହି କାର୍ଯ୍ୟକୁ ଶେଷ କରିବା ସହିତ କାମର ମାନକୁ ସଠିକ୍ ଭାବେ କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏ ବିଷୟରେ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୁଁ ପରେ କଥା ହେବି କହି ଫୋନ କାଟି ଦେଇଥିଲେ । ବର୍ତ୍ତମାନ୍ ଏହି ୱାର୍ଡର ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଗିତାରାଣି ସାହୁ କୁହନ୍ତି, ମୁଁ ଏହି ୱାର୍ଡର ଦାୟିତ୍ଵରେ ନାମକୁ ମାତ୍ର ଅଛି କିନ୍ତୁ ମୋ ପାଖରେ ୱାର୍ଡରେ ଚାଲିଥିବା କୌଣସି କାର୍ଯ୍ୟର ନଥିପତ୍ର ଆସୁନାହିଁ । ଏପରି ସ୍ଥଳେ ବର୍ତ୍ତମାନ୍ ୱାର୍ଡବାସୀ ଦ୍ବନ୍ଦରେ ରହିଛନ୍ତି । ତେଣୁ ଯଥାଶୀଘ୍ର ଏ ଦିଗରେ ଉଚସ୍ତରୀୟ ତଦନ୍ତ ପାଇଁ ୱାର୍ଡବାସୀ ଦାବି କରିଛନ୍ତି ।










































