ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତି ଉପଲକ୍ଷେ ଜନତା ମଇଦାନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ଗରିମାମୟ ଅବସର। ଏକ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ, ଓଡ଼ିଶାର ନୂତନ ସରକାର ଶପଥ ଗ୍ରହଣ କରିଥିଲା ଏବଂ ଏହି ସଫଳ ଏକ ବର୍ଷର ଯାତ୍ରା ପରେ, ଆଜି ଆପଣଙ୍କ ଉପସ୍ଥିତି ଆମ ସମସ୍ତଙ୍କ ମନୋବଳକୁ ବଢ଼ାଇଛି। ଆମ ସରକାର ଗଠନ ପରେ ଆପଣଙ୍କର ଏହା ଷଷ୍ଠ ଥର ଓଡ଼ିଶା ଆଗମନ। ଏହା ଆପଣଙ୍କର ଓଡ଼ିଶାପ୍ରତି ଭଲପାଇବା ଓ ଶୁଭେଚ୍ଛାର ପ୍ରତୀକ।
କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ତାର ୧୧ ବର୍ଷର ଯାତ୍ରା ପୂର୍ଣ୍ଣ କଲା, ଏବଂ ତୃତୀୟ ଅବଧିର ପ୍ରଥମ ବର୍ଷ ମଧ୍ୟ ପୂରା କରିଛି। ମୁଁ ଗର୍ବ ଓ ଗୌରବର ସହିତ କହିବାକୁ ଚାହୁଁଛି ଯେ ଦେଶ ଆପଣଙ୍କ ହାତରେ ସୁରକ୍ଷିତ ଅଛି। ଆପଣଙ୍କ ନେତୃତ୍ୱରେ ଆମର ସେନାବାହିନୀ, ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କ ଅସ୍ତିତ୍ୱ ହଜେଇ ଦେଇଛନ୍ତି।”ଅପରେସନ ସିନ୍ଦୁର” କେବଳ ଆତଙ୍କବାଦୀଙ୍କ ବିରୋଧରେ ଏକ ସେନା ଅଭିଯାନ ନୁହେଁ, ଏହା ଭାରତର ମାଆ, ଭଉଣୀ ଓ ଝିଅ ମାନଙ୍କ ପାଇଁ ଏକ ଭରସା । ଅପରେସନ ସିନ୍ଦୁର ସହ ଏକ ନୂଆ ଭାରତ ଉଦୟ ହେଇଛି – ଯାହା କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଇଁବ ନାହିଁ। ଏହି ନୂଆ ଭାରତ ନିଜ ଭାଗ୍ୟ ନିଜେ ଲେଖିବ ।
ପୂର୍ବରୁ ଲୋକମାନେ କହୁଥିଲେ – “ମୋଦୀ ହେ ତୋ, ମୁମକିନ ହେ”, ଆଜି ସମଗ୍ର ଦେଶ କହୁଛି – “ମୋଦୀ ହେ ତୋ, ଦେଶ ସୁରକ୍ଷିତ ହେ”। ଆପଣଙ୍କ ନେତୃତ୍ୱରେ ଦେଶ ବିକାଶର ନୂତନ ଶିଖର ଛୁଇଁଁଛି। ବିଗତ ୧୧ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଶ୍ରେଣୀର ଲୋକ ମାନଙ୍କର ଉନ୍ନତି ଘଟିଛି।ଆଜି ଭାରତ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଅର୍ଥନୀତି ହୋଇଛି, ଏବଂ ଖୁବ ଶୀଘ୍ର ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବାକୁ ଯାଉଛି। ଦେଶରେ ଅତି ଗରିବୀ ୨୭.୧% ରୁ କମି ୫.୩% ହୋଇଯାଇଛି। ଏହା ପ୍ରମାଣିତ କରୁଛି ଯେ ଆପଣଙ୍କ ନେତୃତ୍ୱରେ ଦେଶ ବଦଳୁଛି ଓ ଦୃତ ଗତିରେ ବିକାଶର ରାସ୍ତାରେ ଅଗ୍ରସର ହେଉଛି।ଆପଣଙ୍କ ମାର୍ଗଦର୍ଶନରେ ଗତ ୧ ବର୍ଷ ଧରି ଆମେ ଓଡ଼ିଶାବାସୀଙ୍କ ସେବାରେ ନିରବଛିନ୍ନ ଭାବେ ପ୍ରତ୍ୟେକ ମୁହୂର୍ତ୍ତ କାମ କରିଛୁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଏହି ବର୍ଷକ ମଧ୍ୟରେ ଆମର କାର୍ଯ୍ୟକ୍ରମ ଓଡିଶାର ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ପରିବର୍ତନ ଆଣି ପାରିଛି। ତା ସହିତ ଆମେ, ଓଡିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ସ୍ପଷ୍ଟ ରୋଡ୍ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛୁ। ଏହି ବର୍ଷକ ଭିତରେ ମୁଁ ଓଡିଶାର ସମସ୍ତ ଜିଲ୍ଲାକୁ ଗସ୍ତ କରିଛି, ସମସ୍ତ ବର୍ଗର ଲୋକଙ୍କ ସହିତ ମିଶିଛି, ସମସ୍ତଙ୍କ ସୁଖଦୁଃଖ ସହିତ ସାମିଲ ହୋଇଛି, ସବୁ ଜିଲ୍ଲାର ସାଂସ୍କୃତିକ ସ୍ୱତନ୍ତ୍ରତା ସହିତ ପରିଚିତ ହୋଇଛି।
ଗତ ୧୦ ତାରିଖରେ ମୁଁ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିର ହିସାବ ରାଜ୍ୟବାସୀଙ୍କୁ ଦେଇଛି।
ସଂକ୍ଷେପରେ କହିଲେ, ରାଜ୍ୟର ଚାଷୀ ଭାଇ, ଭଉଣୀ ମାନଙ୍କୁ ଧାନ କିଣାରେ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଅଧିକ ଇନପୁଟ୍ ଆସିଷ୍ଟାନ୍ସ ପ୍ରଦାନ ଓ ପିଏମ୍ କିଷାନ-ସିଏମ୍ କିଷାନ ଯୋଜନା ମାଧ୍ୟରେ ବାର୍ଷିକ ୧୦ ହଜାର ଟଙ୍କାର ଆର୍ôଥକ ସହାୟତା, ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରିବା, ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଏବଂ ଲକ୍ଷପତି ଦିଦି ସୃଷ୍ଟିରେ ଓଡିଶା ଦେଶରେ ପ୍ରଥମ ହେବା, ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ଏବଂ ନୂତନ ଶିକ୍ଷାନୀତି-୨୦୨୦ ପରି ଐତିହାସିକ ଯୋଜନା ଗୁଡିକ ଲାଗୁ କରିଛୁ।
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପଞ୍ଚାୟତ ଗୁଡିକରେ ଚଳିତ ଆର୍ôଥକ ବର୍ଷଠାରୁ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ନିରୂପଣ ସହିତ ଊଚଜ ପ୍ରସ୍ତୁତ କରାଯାଉଛି। ଐତିହ୍ୟ ବିଦ୍ୟାଳୟ ଯୋଜନା ଓ ପିଏମ୍ ଶ୍ରୀ ଯୋଜନା ଶୁଭାରମ୍ଭ କରାଯାଇ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇଛି।
ଏହା ସହିତ ରାଜ୍ୟର ଆଦିବାସୀ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଡ୍ରପଆଉଟ୍ ହାର କମ୍ କରିବା ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମା ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଆଦି କାର୍ଯ୍ୟକାରୀ କରାଯାଇଛି। ଏକ୍ ପେଡ୍ ମା’ କେ ନାମ୍ ଅଭିଯାନରେ ୬ କୋଟି ୬୯ ଲକ୍ଷ ବୃକ୍ଷ ରୋପଣ କରାଯାଇ, ଶତପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ପାରିଛି।
ଆମ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଜନ କଲ୍ୟାଣ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରତି ବ୍ଲକରେ ଅତ୍ୟାଧୁନିକ ଷ୍ଟାଡିଅମ ନିର୍ମାଣ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆମ ସରକାର ଆଜି ସୁଦ୍ଧା ୧୦ଟି ନିଯୁକ୍ତି ମେଳା ଆୟୋଜନ କରି ୨୮,୩୪୬ ଜଣ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି।
ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା” କାର୍ଯ୍ୟକ୍ରମରେ କେବଳ ଦୁଇ ଦିନ ମଧ୍ୟରେ ରେକର୍ଡ ସୃଷ୍ଟି କରି ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ମିଳିଥିଲା। ବିଗତ ୧୪୦ ଦିନ ମଧ୍ୟରେ, ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ଟି ଉଦ୍ୟୋଗ ଆରମ୍ଭ ମଧ୍ୟ କରିଛୁ।ଆମର ଲକ୍ଷ୍ୟ ରହିଛି – ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଔଦ୍ୟୋଗିକ କେନ୍ଦ୍ରରେ ପରିଣତ କରିବା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆପଣଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ନିଶ୍ଚିତ ଭାବେ “ପୂର୍ବୋଦୟ” ଘଟିବ।
ମୁଖ୍ୟମନ୍ତ୍ରୀ ଆହୁ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ଓଡିଶାରେ ୨ ହଜାର ୭୦୦ କୋଟି ଟଙ୍କାର ନୂଆ ରେଳ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି। ଆଜି ଓଡିଶାର ବୌଦ୍ଧ ଜିଲ୍ଲା ରେଳସେବା ସହିତ ଯୋଡି ହେଲା । ପ୍ରଧାନମନ୍ତ୍ରୀଜୀ ଆଜି ଦୁଇଟି ଟ୍ରେନ ସେବାର ମଧ୍ୟ ଶୁଭାରମ୍ଭ କରୁଛନ୍ତି । ରାଜ୍ୟରେ ରେଳ ଭିତ୍ତିଭୂମି, ସଡକ ନିର୍ମାଣ ଓ ବିମାନସେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଅକୁଣ୍ଠ ସହଯୋଗ ପାଇଁ ମୁଁ ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ଓଡିଶାର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ଆମେ ଆଜି ଠାରୁ ଯୋଜନା ଆରମ୍ଭ କରି ପ୍ରସ୍ତୁତ କରିଛୁ, ଭିଜନ ଡକୁମେଂଟ- ୨୦୩୬ ଓ ୨୦୪୭।
୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛୁ। ୩୬ ପାଇଁ ୩୬ଟି ସ୍ପଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୪୭ ସୁଦ୍ଧା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତରେ ଓଡିଶାର ମହତ୍ୱପୂର୍ଣ୍ଣ ଯୋଗଦାନ ରହିବ। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀ ପ୍ରସ୍ତୁତ କରିଥିବା ରୋଡମ୍ୟାପକୁ ଆଧାର କରି ଆମ ରାଜ୍ୟ ହେବ ସମୃଦ୍ଧ ଓଡିଶା ଏବଂ ଦେଶ ହେବ ବିକଶିତ ଭାରତ। ମୋର ପୁରା ବିଶ୍ୱାସ ଅଛି ଯେ, ୨୦୩୬ ସୁଦ୍ଧା ଆମ ରାଜ୍ୟ ସମୃଦ୍ଧ ଓଡ଼ିଶା ହେବ ଏବଂ ୨୦୪୭ ରେ ଆମ ଦେଶ ବିକଶିତ ଭାରତରେ ପରିଣତ ହେବ।