ପୁରୀ ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଖ୍ୟମନ୍ତ୍ରୀ ପ୍ରଥମେ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ନିର୍ବାହ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଆପଣମାନଙ୍କ ସହଯୋଗ ଓ ସେବାପୂଜା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପନ ହୋଇଛି । ରଥଯାତ୍ରାର ଆହୁରି ତିନୋଟି ମୁଖ୍ୟ ଉତ୍ସବ ବାହୁଡ଼ା, ସୁନାବେଶ ଓ ନିଳାଦ୍ରୀବିଜେ ବାକି ଅଛି । ତେଣୁ ସେବାୟତମାନେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁଖଦ ଅନୁଭୂତି ପାଇଁ ଏହି ସହଯୋଗ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ, ସମସ୍ତେ ସମର୍ପଣ ଭାବ ନେଇ ମହାପ୍ରଭୁଙ୍କ ସେବାରେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ ।
ସେବାୟତମାନେ ସେମାନଙ୍କର କିଛି ଦାବୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରଖିଥିଲେ । ମୁଖ୍ୟମନ୍ତ୍ରୀ ଏ ସବୁ ଦାବୀକୁ ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏଥି ସହିତ ସେବାୟତମାନଙ୍କ ପାଇଁ ସବୁବେଳେ ତାଙ୍କର ଦ୍ୱାର ଖୋଲା ଅଛି ଏବଂ ଯାହା ବି ସମସ୍ୟା ଅଛି ଆଗାମୀ ଦିନରେ ସେ ସବୁ ବିଷୟରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ସେ କହିଥିଲେ । ଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବାରୁ ସେବାୟତମାନେ ଅତ୍ୟନ୍ତ ଖୁସି ହୋଇଥିଲେ ।
ଏହି ବୈଠକରେ ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡ. ସମ୍ୱିତ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପୁରୀ ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣା, ପୁରୀ ଏସ୍.ପି. ଶ୍ରୀ ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।










































