ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ତୁଷାରକାନ୍ତି ବେହେରା, ସୁନିଲ ମହାନ୍ତି, ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ବରିଷ୍ଠ ନେତା ସୁବ୍ରତ ଛାଟୋଇ, ବିଦ୍ୟାଧର ସ୍ୱାଇଁ ଓ ବୈରାଗୀ ଜେନା ପ୍ରମୁଖ ବଳଙ୍ଗା ପୀଡିତାର ମୃତ୍ୟୁ ପରବର୍ତୀ ସ୍ଥିତି ବିଷୟରେ ସରକାରଙ୍କୁ କାଠଗଡାକୁ ଟାଣିବା ସହ ଆଗାମୀ ଅଗଷ୍ଟ ୭ ତାରିଖ ଦିନ ପୁରୀ ଜିଲ୍ଲାରେ ୬ଘଣ୍ଟିଆ ହରତାଳ ପାଇଁ ଆହ୍ୱାନ ଦେଇଛନ୍ତି । ଶ୍ରୀ ସାମନ୍ତରାୟ କହିଥିଲେ ଯେ, ପୀଡିତାର ବାରମ୍ବାର ବୟାନ ରେକର୍ଡ କରିବା ବାହାନାରେ ପୋଲିସ ବିଜେପି ଦଳର ହାତବାରିସି ସାଜି ତାଙ୍କ ଗୁପ୍ତ ଏଜେଣ୍ଡାକୁ କାର୍ଯ୍ୟ କରିଛି। ବାଲେଶ୍ୱରର ଏଫ୍ଏମ୍ କଲେଜ ଘଟଣା ଭଳି, ପରିବାର ଉପରେ ଚାପ ପ୍ରୟୋଗ କରି ବୟାନ ବଦଳାଇବା ପାଇଁ ବାଧ୍ୟ କରିଛନ୍ତି । ପ୍ରଥମ ଦିନରୁ ପୀଡିତା ଓ ତାଙ୍କ ମାଆ ନିଜେ ଘଟଣା ସଂପର୍କରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରି ଏତଲା ଦାୟର କରିଥିଲେ। ପରବର୍ତୀ ପରିସ୍ଥିତିରେ ଦୁବୃର୍ତମାନଙ୍କୁ ବଂଚାଇବା ପାଇଁ ଶାସକ ବିଜେପି ଦଳର ଚାପରେ ପୋଲିସ ତଦନ୍ତର ମୋଡ ବଦଳାଇଦେଲେ । ଦୁଃଖର ବିଷୟ ପୀଡିତାର ମୃତ୍ୟୁର କିଛି ସମୟ ପରେ ପୋଲିସ ମୁଖ୍ୟାଳୟ ଜରିଆରେ ସରକାର ଯେଉଁଭଳି ବିବୃତି ପ୍ରଦାନ କଲେ ତାହା ସ୍ପଷ୍ଟ କରିଛି ଯେ, ସରକାର ସତ୍ୟ ଲୁଚାଇବା ପାଇଁ ଚାହୁଛନ୍ତି । ଜଗନ୍ନାଥଙ୍କ ମାଟିରେ ନିଶ୍ଚିତ ଭାବେ ସତ୍ୟର ଉନ୍ମୋଚନ ହେବ ଏବଂ ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ମିଳିବା ଯାଏଁ ବିଜୁ ଜନତା ଦଳ ତାର ଲଢେଇ ଜାରି ରଖିବ । ଯେଉଁଭଳି ଭାବେ ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଜଣେ ନାବାଳିକାକୁ ନ୍ୟାୟ ଦେବା ପରିବର୍ତେ ପୋଲିସକୁ ବ୍ୟବହାର କରି ତଦନ୍ତକୁ ବାଟବଣା କରି ସତ୍ୟକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି, ତା’ର ଆମେ ଦୃଢ ନିନ୍ଦା କରୁଛୁ । ଏହି ଘଟଣା ଲାଗି ଓଡିଶା ଆଜି ସାରା ଦେଶରେ ନିନ୍ଦିତ ହୋଇଥିବା ବେଳେ ସରକାରଙ୍କ ଆଚରଣ ଓଡିଶାବାସୀଙ୍କୁ କ୍ଷୁବ୍ଧ କରିଛି ।