ଜଗତସିଂହପୁର ଜିଲ୍ଲାରେ ନିଶାଦ୍ରବ୍ୟ ବେପାର ସହ ଯୁବପିଢ଼ି ସେବନ କରିବା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ଉଭୟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ହେଲେ ପୋଲିସ ଓ ଅବକାରୀବିଭାଗ କୁ ଟାର୍ଗେଟ କରିଛନ୍ତି ଧଳା ଜହର, ଗଞ୍ଜେଇ ଚୋରା ବେପାରୀମାନେ। ଅବକାରୀ ବିଭାଗର ଅପାରଗତା ଯୋଗୁ ଏହି ବେପାର ଜଗତସିଂହପୁର ବିଭିନ୍ନ ଅଞ୍ଚଳ ସମେତ ବାଲିଭଉଁରୀ-ଶିଖରଘାଟ ରାସ୍ତାର ଗଉଡ଼ୁଣୀପଡିଆରେ ଖୋଲାଖୋଲି ବେପାର ଚାଲିଛି। ବିଭାଗୀୟ କେତେକ ଅସାଧୁ କର୍ମଚାରୀଙ୍କୁ ହାତକରି ଏହି ବେପାର ଚାଲିଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳର କେତେକ ଛକ ବଜାରରେ ଧଳା ଜହର ସହଜରେ ମିଳୁଥିବାରୁ ଏହାକୁ ଖାଇ ଯୁବଗୋଷ୍ଠୀ ଏବେ ପଥଭ୍ରଷ୍ଟ।
ଅନେକ ପରିବାର ଏହାକୁ ନେଇ ଚିନ୍ତାରେ ଅଛନ୍ତି। ନିଶା ପାଇଁ ଯୁବକମାନେ ସାଇକଲ୍, ମଟରସାଇକଲ୍ ଚୋରିଠାରୁ ଆରମ୍ଭ କରି ଛିନ୍ତାଇ ଭଳି ବଡ଼ ଚୋରି କରୁଥିବା ଜଣାପଡ଼ୁଛି। ଜଗତସିଂହପୁର ଅଞ୍ଚଳରୁ ଧଳାଜହର ବଡ଼ ବଡ଼ ବେପାରୀ ଆସି ଏଠାରେ ବିକ୍ରି ପାଈଁ ଦେଉଥିବା ଜଣାପଡ଼ିଛି। ତେଜରାତି ଓ ପାନ ଦୋକାନଠାରୁ ଆରମ୍ଭ କରି ଚା ଜଳଖିଆ ଦୋକାନରେ ଚୋରା ନକଲି ବିଦେଶୀ ମଦ ଓ ଗଞ୍ଜେଇ ମଧ୍ୟ ବିକ୍ରି ହେଉଛି। ଚୋରାମଦ କାରବାର ରୋକିବା ପାଇଁ ସ୍ବତନ୍ତ୍ର ଅବକାରୀ ଥାନା ପ୍ରତିଷ୍ଠିତ ହୋଇଛି। ମୋବାଇଲ୍ ଟିମ୍ ମଧ୍ୟ ଗଠନ ହୋଇଛି। ଏହା ସତ୍ବେ ଜଗତସିଂହପୁର ବ୍ଲକ୍ ଅଞ୍ଚଳରେ ଏହି ଚୋରା ବେପାର ବଢିଚାଲିଛି। ସେହିପରିମାଣରେ ଅବକାରୀ ବିଭାଗ ତତ୍ପର ନଥିବା ଅଭିଯୋଗ ହେଉଛି। ଏହାକୁ ରୋକା ନଗଲେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ନିଶା କବଳରୁ ଉଦ୍ଧାର କରିବା ସହଜ ହେବ ନାହିଁ। ଏ ସମ୍ପର୍କରେ ଜଗତସିଂହପୁର ଅବକାରୀ ବିଭାଗର ମୁଖ୍ୟଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ହୋଈ ପାରୀନଥିଲା l










































