ଭୁବନେଶ୍ୱର: ଜଙ୍ଗଲରେ ନିଆଁ ଲିଭାଇବାକୁ ଓଡ୍ରାଫ୍ ର ସହାୟତା ନେବ ବନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁରେଶ ପନ୍ତ । ସେ କହିଛନ୍ତି ଜଙ୍ଗଲ ନିଆଁ ଲିଭାଇବାରେ ବନ ବିଭାଗ ୯୯.୯୯% ସଫଳ ହେଉଛି । ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍ ସହାୟତା ନେବୁ। – ଦେଶର ପ୍ରଥମ ରାଜ୍ୟ ଭାବେ ଓଏଫଏମଏସ୍ ଫରେଷ୍ଟ ଫାୟାର ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ।ଆମ ରାଜ୍ୟର ବନ କର୍ମଚାରୀ, ଯାହା ଜଙ୍ଗଲ ନିଆଁ ଅନୁସନ୍ଧାନ ଏବଂ ରିପୋଟିଂ ପାଇଁ ବେଶ ଉପଯୋଗୀ। ଏହି ଆପ୍ ୧୦୦ ମିଟର ଦୂରତ୍ୱ ଭିତରେ ଜଙ୍ଗଲ ନିଆଁ ନେଇ ରେସ୍ପନ୍ସ ଧରିଥାଏ ଏବଂ ଯେତେବେଳେ ଅଗ୍ନି ନିର୍ବାପନ ହୋଇଯାଏ, ଫାୟାର ଆଇକନ୍ ହଳଦିଆରୁ ସବୁଜରେ ପରିବର୍ତିତ ହୋଇଯାଏ ।
-ପାଇଲଟ୍ ପ୍ରକଳ୍ପ ଭାବେ ଜଙ୍ଗଲ ନିଆଁ ନେଇ ତତ୍କାଳ ତଥ୍ୟ ପାଇବାକୁ ଶିମିଳିପାଳରେ ୫ଟି ଏଆଇ କ୍ୟାମେରା ସ୍ଥାପିତ ହୋଇଛି। ୪ଟି ଏଆଇ କ୍ୟାମେରା ରାଉରକେଲା ବନ ବିଭାଗରେ ଅଗ୍ନି ଏବଂ ପ୍ରାଣୀ ଗତିବିଧି ଚିହ୍ନଟ ପାଇଁ ସ୍ଥାପିତ ହୋଇଛି।
ଚଳିତ ବର୍ଷ ମାର୍ଚ୍ଚ ୧୬ ସୁଦ୍ଧା ରାଜ୍ୟରେ ୧୪,୯୨୨ଟି ବନାଗ୍ନି ସତର୍କ ସଙ୍କେତ ମିଳିଛି। ଯେଉଁଥିରୁ ୧୪,୯୧୪ଟିକୁ ଲିଭାଯାଇଛି ଏବଂ ୯୯.୯୫% ରେସପନ୍ସ ରେଟ୍ ଅର୍ଜିତ ହୋଇଛି। ଏହିମଧ୍ୟରୁ, ୧୦,୧୭୧ ଅଗ୍ନି ଘଟଣା ଜଙ୍ଗଲ ଭିତରେ ଏବଂ ୪,୭୫୧ ଘଟଣା ଜଙ୍ଗଲ ବାହାରେ ଘଟିଛି ଓ ପୂର୍ବବର୍ଷଗୁଡ଼ିକ ସହିତ ତୁଳନା କଲେ ଚଳିତ ବର୍ଷ ଆମର ପରିସ୍ଥିତି ଅନେକ ଭଲ ଅଛି। ୨୦୨୧ରେ ମାର୍ଚ୍ଚ ୧୭ ସୁଦ୍ଧା ରାଜ୍ୟରେ ୩୫,୧୧୮ ବନାଗ୍ନି ଘଟଣା ଓ ୨୦୨୩ରେ ମାର୍ଚ୍ଚ ୧୭ ସୁଦ୍ଧା ୨୪,୦୨୭ ବନାଗ୍ନି ଘଟଣା ହୋଇଥିଲା।
ତେବେ ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୧୫,୭୨୩ କିଲୋମିଟର ନୂଆ ଫାୟାର ଲାଇନ ସୃଷ୍ଟି କରାଯାଇଛି । ୧୬,୬୩୦ କିଲୋମିଟର ପୁରୁଣା ଫାୟାର ଲାଇନର ମରାମତି କରାଯାଇଛି। ୩୩୪ ଟି ଅଗ୍ନି ସୁରକ୍ଷା ସ୍କ୍ୱାଡ୍ ଏବଂ ଯାନବାହନ ମୁତୟନ କରାଯାଇଛି। ୪,୬୬୩ଟି ଲିଫ ବ୍ଲୋୟର , ରେକ୍ ଏବଂ ଅଗ୍ନି ନିର୍ବାପନ ସୁରକ୍ଷା କିଟ୍ ଦିଆଯାଇଛି। ଜଙ୍ଗଲ ନିଆଁ ଆଲର୍ଟ ପାଇବାକୁ ପ୍ରାୟ ୬,୭୦୦ ଫରେଷ୍ଟ ଗାର୍ଡ ଓ ଫରେଷ୍ଟରଙ୍କ ମୋବାଇଲ୍ ନମ୍ବର ଏଫଏସଆଇ ୱେବସାଇଟରେ ରେଜିଷ୍ଟର୍ କରାଯାଇଛି। ରାଜ୍ୟ ଏବଂ ବିଭାଗୀୟ ମୁଖ୍ୟାଳୟରେ ୨୪ଙ୍ଘ୭ ଅଗ୍ନିନିୟନ୍ତ୍ରଣ କକ୍ଷ କାର୍ଯ୍ୟରତ । ୫୨୦ଟି ଗ୍ରାମକୁ ଅଗ୍ନି ରକ୍ଷା ପ୍ରୋତ୍ସାହନ ଦିଆଯାଇଛି। ୨୮୩ ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୭୪ ଟି ପ୍ରି ଫାୟାର କର୍ମଶାଳା କରାଯାଇଛି। ଫରେଷ୍ଟ ଫ୍ରଂଟଲାଇନ୍ କର୍ମଚାରୀମାନଙ୍କ ନିମନ୍ତେ ୩୩୫ ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।










































