ବୈପାରିଗୁଡ଼ା (ଇନ୍ଦ୍ର କୁମାର ପାଙ୍ଗି): ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବାସୁବାଦତ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ଏହି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସେହିପରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ.ଆଦିତ୍ୟ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ.ରବିନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଟପାଡ଼ ବିଧାୟକ ପ୍ରତିନିଧି ସି ଏଚ ପ୍ରଭାକର ରାଓ, କୋରାପୁଟ ବିଧାୟକ ପ୍ରତିନିଧି ଭାବେ ଉମେଶ ପଟ୍ଟନାୟକ, ବୈପାରିଗୁଡ଼ା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସବିତା ବ୍ରହ୍ମା ପ୍ରମୁଖ ଯୋଗଦେଇଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଗତ ୧୭ ତାରିଖ ଦିନ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ତଥା ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସାଂସଦ ପ୍ରକାଶ କରିଛନ୍ତି। ନାରୀ ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବେ, ନାରୀ ସୁସ୍ଥ ରହିଲେ ହିଁ ସମାଜ ଆଗକୁ ଗତି କରି ପାରିବ, ବିଭିନ୍ନ ସମସ୍ୟା ଭିତରେ ନିଜ ପରିବାରକୁ ସୁରକ୍ଷା ଦେଉଥିବାରୁ ତାର ସୁସ୍ଥତା ପ୍ରତି ସମାଜ ଯତ୍ନବାନ ହେବା ଆବଶ୍ଯକ ଏହାହିଁ ଏହାର ମୂଳ ଲକ୍ଷ ବୋଲି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଡ.ଉମେଶ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ଆଶାକର୍ମୀ ଉପସ୍ଥିତ ଥିଲେ । ବୈପରିଗୁଡ଼ା ଅଞ୍ଚଳର ଶତାଧିକ ମହିଳା ଉପସ୍ଥିତ ରହି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।