ଜଗତସିଂହପୁର ରିପୋର୍ଟ (ଅସ୍ମିତା ମହାନ୍ତି ) : ପୌରାଞ୍ଚଳ ଅଞ୍ଚଳରେ ମୁଲିଆ ଶ୍ରେଣୀର ଲୋକେ କିଭଳି ରୋଜଗାର କ୍ଷମ ହେବେ ତାହାକୁ ଦୁଷ୍ଟି ରେ ରଖି ଓଡିଶା ସରକାର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଇଥିଲେ। ତେବେ ସରକାରଙ୍କର ଏହି ଯୋଜନାରେ ଲୋକେ ଉପକୃତ ହେବେ ବୋଲି ଯେଉଁ ଆଶା କରରିଥିଲେ , ତାହା ଜଗତସିଂହପୁର ପୌରାଞ୍ଚଳରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ମୁକ୍ତା ଯୋଜନାରେ ନିର୍ମାଣ ହୋଇଥିବା ପ୍ରକଳ୍ପର ଚିହ୍ନବର୍ଣ୍ଣ ଏବେ ହଜିଗଲାଣି। ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିଥିବା ଅଭିଯୋଗ ହେଉଛି।
ମୁକ୍ତା ଯୋଜନାରେ ଜଗତସିଂହପୁର ପୌରପରିଷଦ ପକ୍ଷରୁ ଅର୍ଥ ବ୍ୟୟ କରାଯାଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନେଇ ସ୍ବୟଂ ସହାୟକ ଗୋଷ୍ଠୀକୁ କାମ ଦିଆଯାଇଥିଲା। ବିଭିନ୍ନ କାର୍ଯ୍ୟ ନିର୍ମାଣ ଅତି ତରବରିଆ ଭାବେ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଯେଉଁ ପ୍ରକଳ୍ପଗୁଡିକ କରାଯାଇଥିଲା ତାହା ଏବେ ହଜି ଯାଇଥିବା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପଗୁଡିକର ଚିହ୍ନବର୍ଣ୍ଣ ଦିଶୁନାହିଁ। କେବଳ ଫଳକ ଅଛି, ଲେଖା ଲିଭି ଗଲାଣି। କାରଣ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନାମରେ ଅନ୍ୟମାନେ ଏହି କାମକୁ ଅତି ନିମ୍ନମାନରେ ତିଆରି କରି ଟଙ୍କା ବିଭାଗୀୟ ଅଧିକାରୀଙ୍କ ସହ ମିଶି ହଡପ କରିଥିବା ଅଭିଯୋଗ ହେଉଛି। ବିଭିନ୍ନ ୱାର୍ଡରେ କାଉନସିଲର ମାନେ ପୂର୍ବରୁ ମୁକ୍ତା ଯୋଜନା କାର୍ଯ୍ୟ ଉପରେ ସ୍ବରଉଠାଇ ଥିଲେ ହେଲେ ପରବର୍ତୀ ସମୟରେ ଚୁପ ହୋଈ ଯାଇଥିଲେ। ଫଳରେ ବିଭାଗୀୟ ଅଧିକାରୀମାନେ ଅତି ତରବରିଆ ଭାବେ ମନଇଚ୍ଛା ଯେଉଁଠି ପାରିଲେ ସେଠି ଏହି ପ୍ରକଳ୍ପକୁ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା ତାହାର କୌଣସି କାର୍ଯ୍ୟରେ ଲାଗୁନଥିବା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ମୁକ୍ତା ଯୋଜନାରେ ସହରର କାନ୍ଥରେ ରଙ୍ଗ ଦେବା ବା ଚିତ୍ରକଳା କରିବା, ମିନି ପାର୍କ ନିର୍ମାଣ, ମିଶନ ଶକ୍ତି ଗୃହ ନିର୍ମାଣ, ବର୍ଷା ଜଳ ସଂରକ୍ଷଣ, ବିଭିନ୍ନ ସ୍ଥାନରେ ପରିଶ୍ରାଗା, ବଡ ପୋଖରୀ ନିର୍ମାଣ ସହ ପାର୍କର ବ୍ୟବସ୍ଥା, ଜିମ୍ କରିବା ଭଳି କାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ମୁକ୍ତା ଯୋଜନାରେ ଆସିଥିବା ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହାର କୌଣସି ଫାଇଦା ଲୋକେ ପାଇ ପାରୁ ନ ଥିବା ଦେଖିବାକୁ ମିଳିଛି। ତେବେ ଯେଉଁ ଯେଉଁ ପକଳ୍ପ ହୋଇଥିଲା ଏବେ ତାହା ମାଟିରେ ମିଶିଯାଇଛି। ସହରର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାକୁ ପୌରା ଅଧିକାରୀ ଗୁରୁତ୍ୱ ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।










































