ଭୁବନେଶ୍ୱର : ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମୋବାଇଲ ନେବା ଉପରେ କଟକଣା ହଟିଛି। ସାମ୍ବାଦିକଙ୍କ ଆନ୍ଦୋଳନ ପରେ କଟକଣା ପ୍ରତ୍ୟାହୃତ କରିଛନ୍ତି ସରକାର। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏନେଇ ସୂଚନା ଦେଇଛନ୍ତି।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସାମ୍ବାଦିକଙ୍କ ଉପରେ ଲଗାଯାଇଥିବା ମୋବାଇଲ କଟକଣା ହଟାଯାଇଛି। ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ନେଇପାରିବେ। ହେଲେ ମିଡିଆ ଗ୍ୟାଲେରୀରେ ବସି ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ କରିପାରିବେ ନାହିଁ।ବାଚସ୍ପତି ବିଧାନସଭା ନୀତି ନିୟମ ମାନିବାକୁ ସାମ୍ବାଦିକ ମାନଙ୍କୁ କହିଛନ୍ତି। ଖବରକାଗଜ ସାମ୍ବାଦିକମାନଙ୍କୁ ବିଧାନସଭା ଗୃହ କାର୍ଯ୍ୟ ଫଟୋ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାଚସ୍ପତି । ବାଚସ୍ପତିଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ସୂଚନାଯୋଗ୍ୟ, ଗତକାଲି ବିଧାନସଭା ଭିତରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହୋଇଥିଲେ। ବିଧାୟକମାନଙ୍କ ହାତାହାତି ହେବାର ଭିଡିଓ ଭାଇରାଲ ହୋଇଥିଲା । ଆଉ ଏହାପରେ ଆଜି ସାମ୍ବାଦିକଙ୍କ ଉପରେ ମୋବାଇଲ ନ ନେବା ପାଇଁ କଟକଣା କରାଯାଇଥିଲା । ବୁଧବାର ସାମ୍ବାଦିକ ମାନେ ପ୍ରେସ୍ ଗ୍ୟାଲେରୀକୁ ଯିବା ବେଳେ ସେମାନଙ୍କୁ ଏକ ଲଫାଫା ଦିଆଯାଇ ସେଥିରେ ଫୋନ୍ ରଖି ଯିବାକୁ କୁହାଯାଇଥିଲା। ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନକାଳକୁ ବୟକଟ୍ କରିଥିଲେ ଓ ଗାନ୍ଧି ମୂର୍ତି ତଳେ ଧାରଣା ଦେଇଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାଚସ୍ପତି ସୁରମା ପାଢୀ ଆଲୋଚନା କରି ମୋବାଇଲ କଟକଣାକୁ ହଟାଇ ନେଇଥିଲେ।ନିଷ୍ପତି ପ୍ରତ୍ୟାହାର ପରେ ସାମ୍ବାଦିକ ମାନେ ଆନ୍ଦେଳନରୁ ଓହରି ଥିଲେ।