ପାରାଦୀପ : ତୈଳ ଜାହାଜରେ ପାକିସ୍ତାନୀ କ୍ରିୟୁ ମେମ୍ବର । ପାରାଦୀପ ବନ୍ଦର SPM ବର୍ଥରେ ଲାଗିଲା ଅଶୋଧିତ ତୈଳ ନେଇ ଆସିଥିବା ଜାହାଜ । ତୈଳ ଜାହାଜ ଦକ୍ଷିଣ କୋରିଆରୁ ପଣ୍ୟ ନେଇ ପାରାଦୀପକୁ ଆସିଛି । ଜାହାଜରେ ଅଛନ୍ତି ୨୫ ଜଣ କ୍ରିୟୁ ମେମ୍ବର । ୨୧ ପାକିସ୍ତାନୀ କ୍ରୀୟୁ ମେମ୍ବର ଥିବାର ସୂଚନା ଇମିଗ୍ରେସନ ବିଭାଗରୁ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ତୈଳ ଖଲାସ ହେବ ପର୍ଯ୍ୟନ୍ତ ମେରାଇନ ପୋଲିସ,ପାରାଦୀପ ବନ୍ଦର,କଷ୍ଟମ ବିଭାଗ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ କଷ୍ଟମ ବିଭାଗ ।
ପାକିସ୍ତାନୀ କୌଣସି ପରିସ୍ଥିତିରେ ଜାହାଜରୁ ନ ଓହ୍ଲାନ୍ତି କଡ଼ା ନଜର ରଖିବେ । ପାରାଦୀପ ପୋର୍ଟ SPMରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ । ଦକ୍ଷିଣ କୋରିଆ ଦେଶରୁ ୧୩୫ ମେଟ୍ରିକ ଟନ ଅଶୋଧିତ ତୈଳ ବୋଝେଇ ହୋଇ ଆସୁଛି। ଉକ୍ତ ତୈଳ ଏସ୍ପିଏମ୍ ବର୍ଥରେ ବୁଧବାର ଖଲାସ ହେବ ବୋଲି ବନ୍ଦର ଡିଟିଆର (ଡେଲି ଟ୍ରାଫିକ ରିପୋର୍ଟ)ରୁ ଜଣାପଡିଛି। ନାବିକଙ୍କ ମଧ୍ୟରେ ୨୧ ପାକିସ୍ତାନ, ୨ ଭାରତୀୟ, ଜଣେ ଶ୍ରୀଲଙ୍କା, ଜଣେ ଥାଇଲାଣ୍ଡ ଦେଶର ବୋଲି ଇମିଗ୍ରେଶନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପାରାଦୀପ ବନ୍ଦର ଏସ୍ପିଏମ୍ ପୋତାଶ୍ରୟଠାରୁ ୨୦ କି.ମି. ଦୂର ସମୁଦ୍ର ମଧ୍ୟରେ ଜାହାଜ ରହିଛି। ସେଠାରେ ଭାସମାନ ବର୍ଥକୁ ଏସ୍ପିଏମ୍ ବୋଲି କୁହାଯାଏ। ସେଠାରେ କେବଳ ବୃହତ ତୈଳବାହୀ ଜାହାଜରୁ ଅଶୋଧିତ ତୈଳ ପାଇପ୍ଲାଇନ ଯୋଗେ ଖଲାସ କରାଯାଇଥାଏ। ବୁଧବାର ଜାହାଜ ଲାଗିବା ପାଇଁ କ୍ଲିୟରାନ୍ସ ମିଳିଛି। କିନ୍ତୁ ଅପସାରଣ ଶେଷ ପର୍ଯ୍ୟନ୍ତ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ, ମେରାଇନ ପୋଲିସର ପାଟ୍ରୋଲିଂ ବୋଟ ଏ ପର୍ଯ୍ୟନ୍ତ ମହାନଦୀ ମୁହାଣ ଅତିକ୍ରମ କରିନାହିଁ। ବୁଧବାର କିପରି ଏସ୍ପିଏମ୍ ପର୍ଯ୍ୟନ୍ତ ପୋଲିସ ଯିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।










































