ପାରାଦୀପ – କୁଜଙ୍ଗ ତଥା ପାରାଦୀପ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ଶିକ୍ଷାବିତ୍ ତଥା ରାଜନୀତିଜ୍ଞ ସ୍ଵର୍ଗତଃ ମଦନ ମୋହନ ସ୍ଵାଇଁଙ୍କ ଏକାଦଶାହ କାର୍ଯ୍ୟକ୍ରମ ତାଙ୍କ ଗ୍ରାମ କୁଜଙ୍ଗର ନବାଡିଆ ଗ୍ରାମରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରି ସ୍ଵର୍ଗତଃ ସ୍ଵାଇଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ l ସ୍ବର୍ଗତ ସ୍ୱାଇଁ କେବଳ ଜଣେ ଦରଦୀ ହୃଦୟର ବ୍ୟକ୍ତି ନଥିଲେ, ବରଂ ଶିକ୍ଷାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବାରେ ବେଶ ସହାୟକ ହୋଇଥିଲେ l ତାଙ୍କ ସହ ଥିବା ମୋର ବ୍ୟକ୍ତିଗତ ସମ୍ପର୍କ ଓ ସ୍ମୃତି ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ମନ୍ତ୍ରୀ ଉଲ୍ଲେଖ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିଥିଲେ l ସେହିପରି ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୂର୍ବତନ ସାଂସଦ ଡା. କୁଳମଣି ସାମଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଶ୍ରମିକନେତା ପ୍ରକାଶ ତ୍ରିପାଠୀ, ସନ୍ତୋଷ ପଟ୍ଟନାୟକ,କଂଗ୍ରେସ ନେତା ନିରଞ୍ଜନ ନାୟକ,ପ୍ରମୁଖ ଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ରାଜନେତା, ଶ୍ରମିକ ନେତା, ଶିଳ୍ପପତି ଓ ବ୍ୟବସାୟୀ, କବି, ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ ସ୍ବର୍ଗତଃ ସ୍ୱାଇଁ ଙ୍କ ସ୍ମୃତିଚାରଣ କରିଥିଲେ l ଏ ସମସ୍ତ କାର୍ଯ୍ୟକ୍ରମକୁ ପୁତ୍ର ତଥା ସାମ୍ବାଦିକ ରତ୍ନାକର ସ୍ୱାଇଁ, ବିଶ୍ୱଜିତ୍ ସ୍ୱାଇଁ, ସମିତ୍ ସାଇଁ,ଭାଇ ସୁଦର୍ଶନ ସ୍ୱାଇଁ, ରଞ୍ଜନ କୁମାର ସ୍ୱାଇଁ, ମନୋଜ କୁମାର ସ୍ୱାଇଁ, ଝିଅ ମନ୍ଦାକିନି, ମଧୁସ୍ମିତା, ସୁଚିସ୍ମିତା, ଶୁଭଶ୍ରୀ, ଇନୁ, ଚିନୁ,ଜ୍ୱାଇଁ ଜ୍ଞାନଦେବ, ନିଲୁ ଓ ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ସୁଚାରୁରୂପେ ପରିଚାଳନା କରିଥିଲେ l ଏଥିରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ପଂକ୍ତି ଭୋଜନ ରେ ସାମିଲ ହୋଇଥିଲେ l










































